କଟକ। ସମ୍ବଲପୁର ଲୋକସଭାରୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନିର୍ବାଚନକୁ ଚାଲେଞ୍ଜ କରି ଦାଖଲ ହୋଇଥିବା ନିର୍ବାଚନୀ ମୋକଦ୍ଦମାକୁ ଓଡିଶା ହାଇକୋର୍ଟ ଖାରଜ କରିଦେଇଛନ୍ତି। ନ୍ୟାୟମୂର୍ତ୍ତି ସଞ୍ଜୟ କୁମାର ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଡ଼କ୍ଟର ସୁବାସ ମହାପାତ୍ରଙ୍କ ପକ୍ଷରୁ ଦାଖଲ ମୂଳ ନିର୍ବାଚନୀ ମାମଲାଟିକୁ ଅଯଥା, ଭିତ୍ତିହୀନ ଓ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ଉଲ୍ଲେଖ କରି ଖାରଜ କରିଦେଇଛନ୍ତି।
ଆଇନଜୀବୀମାନଙ୍କ ମତାନୁସାରେ ମୋକଦ୍ଦମା ଭାରତୀୟ ଜନପ୍ରତିନିଧି ଆଇନର ଧାରା ୮୩(୧) ଅନୁଯାୟୀ ଆବଶ୍ୟକ ନିୟମ ପାଳନ କରୁନଥିଲା। ଏହାକୁ ଆଧାର କରି ଧର୍ମେନ୍ଦ୍ର ପ୍ରଧାନଙ୍କ ପକ୍ଷରୁ ଦାଖଲ ହୋଇଥିବା ଅନ୍ତରୀଣ ଆବେଦନକୁ ହାଇକୋର୍ଟ ଗ୍ରହଣ କରିଛନ୍ତି।
ଏହା ସହିତ, ୨୦୨୪ ରୁ ହାଇକୋର୍ଟରେ ବିଚାରାଧୀନ ଥିବା ସମ୍ବଲପୁର ଲୋକସଭା ନିର୍ବାଚନ ସମ୍ବନ୍ଧୀୟ ବିବାଦର ଅନ୍ତ ଘଟିଛି।
୨୦୨୪ରେ ଦାଖଲ ହୋଇଥିବା ମୋକଦ୍ଦମା
ମାମଲାର ଆବେଦକ ଡ଼କ୍ଟର ସୁବାସ ମହାପାତ୍ର ୨୦୨୪ରେ ଧର୍ମେନ୍ଦ୍ର ପ୍ରଧାନଙ୍କ ନିର୍ବାଚନକୁ ଅବୈଧ ଘୋଷଣା ପାଇଁ ମୋକଦ୍ଦମା ଦାଖଲ କରିଥିଲେ। ତାଙ୍କ ଅଭିଯୋଗ ଅନୁସାରେ—
- ପ୍ରଧାନଙ୍କ ନାମାଙ୍କନରେ ଅନେକ ତ୍ରୁଟି ଥିଲା
- ସତ୍ୟପାଠରେ ସମସ୍ତ ତଥ୍ୟ ଉଲ୍ଲେଖ ହୋଇନଥିଲା
- ସେ ଅଫିସ ଅଫ୍ ପ୍ରଫିଟ ଧାରଣ କରୁଥିବା ଅଭିଯୋଗ ଥିଲା
୨୦୨୪ ଅଗଷ୍ଟ ୨୩ ରେ ହାଇକୋର୍ଟ ପ୍ରାରମ୍ଭିକ ଶୁଣାଣି କରି ପ୍ରଧାନ ଓ ଅନ୍ୟମାନଙ୍କୁ ନୋଟିସ ଜାରି କରିଥିଲେ।
ପରେ ପ୍ରଧାନଙ୍କ ପକ୍ଷରୁ CPC ଅର୍ଡର 6 ରୁଲ୍ 16, ଅର୍ଡର 7 ରୁଲ୍ 11 ଓ ଜନପ୍ରତିନିଧି ଆଇନ ଧାରା 86 ଅନୁଯାୟୀ ମାମଲା ଖାରଜ ପାଇଁ ଅନ୍ତରୀଣ ଆବେଦନ ଦାଖଲ ହୋଇଥିଲା।
ଲକ୍ଷାଧିକ ଭୋଟ୍ରେ ବିଜୟୀ ହୋଇଥିଲେ ପ୍ରଧାନ
ସମ୍ବଲପୁର ଆସନରୁ ୨୦୨୪ ଲୋକସଭା ନିର୍ବାଚନରେ—
- ଧର୍ମେନ୍ଦ୍ର ପ୍ରଧାନ (BJP): 5,92,162 ଭୋଟ୍
- ପ୍ରଣବ ପ୍ରକାଶ ଦାସ (BJD): 4,72,326 ଭୋଟ୍
ବରିଷ୍ଠ ଆଇନଜୀବୀ ଗୋପାଳ ଅଗ୍ରୱାଲ ପ୍ରଧାନଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିଲେ।





