ସମ୍ବଲପୁର: ଜ୍ଞାନ ଓ ବିଜ୍ଞାନର ସମନ୍ୱୟ ମାଧ୍ୟମରେ ଓଡ଼ିଶାର ଛାତ୍ରୀମାନେ ଏବେ କେବଳ ସ୍ୱପ୍ନ ଦେଖିବେ ନୁହେଁ, ସେହି ସ୍ୱପ୍ନକୁ ବାସ୍ତବରେ ପରିଣତ କରିପାରିବେ। ଓଡ଼ିଶାର ପ୍ରଥମ ‘ବୋଇଂ ସୁକନ୍ୟା ଷ୍ଟେମ୍ ଲ୍ୟାବ୍’ର ଶୁଭାରମ୍ଭ କରି ଏଭଳି ମତ ପ୍ରକାଶ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।
‘ଜାତୀୟ ଶିଶୁକନ୍ୟା ଦିବସ’ ଅବସରରେ ସମ୍ବଲପୁରର ଐତିହାସିକ ଚନ୍ଦ୍ରଶେଖର ବେହେରା (ସିଏସବି) ଜିଲ୍ଲା ସ୍କୁଲର ବାର୍ଷିକ ଉତ୍ସବ ‘ଜ୍ୟୋତିର୍ଗମୟ’ରେ ଯୋଗଦେଇ ଶ୍ରୀ ପ୍ରଧାନ ଆଭାସୀ ମାଧ୍ୟମରେ ‘ବୋଇଂ ସୁକନ୍ୟା ପ୍ରୋଗ୍ରାମ ଷ୍ଟେମ୍ ଲ୍ୟାବ୍’ର ଉଦଘାଟନ କରିଥିଲେ।
ପ୍ରଥମ ପର୍ଯ୍ୟାୟରେ ସମ୍ବଲପୁରର ସିଏସବି ଜିଲ୍ଲା ହାଇସ୍କୁଲ, ଗୌରଚନ୍ଦ୍ର ହାଇସ୍କୁଲ (ରେଢ଼ାଖୋଲ) ଓ ସରକାରୀ ହାଇସ୍କୁଲ (କୁଚିଣ୍ଡା)ରେ ଏହି ଷ୍ଟେମ୍ ଲ୍ୟାବ୍ଗୁଡ଼ିକ ଉଦଘାଟିତ ହୋଇଛି। ଶ୍ରୀ ପ୍ରଧାନ କହିଛନ୍ତି ଯେ ଏହି ଲ୍ୟାବ୍ଗୁଡ଼ିକ କେବଳ ବିଜ୍ଞାନାଗାର ନୁହେଁ, ବରଂ ଛାତ୍ରୀମାନଙ୍କ ପାଇଁ ଏରୋସ୍ପେସ୍, ବିଜ୍ଞାନ ଓ ପ୍ରଯୁକ୍ତି କ୍ଷେତ୍ରରେ ନୂତନ ସମ୍ଭାବନାର ଦ୍ୱାର ଖୋଲିବ।
ଏହି ଷ୍ଟେମ୍ ଲ୍ୟାବ୍ରେ ବିଜ୍ଞାନ ସହ ଏରୋସ୍ପେସ୍ ଶିକ୍ଷା, ପାଇଲଟ୍ ହେବା ପାଇଁ ଆବଶ୍ୟକ ମୌଳିକ ପ୍ରଶିକ୍ଷଣ ଏବଂ ନବସୃଜନମୂଳକ ଚିନ୍ତାଧାରାକୁ ପ୍ରୋତ୍ସାହନ ଦିଆଯିବ। ଏହା ଛାତ୍ରଛାତ୍ରୀ, ବିଶେଷକରି ଛାତ୍ରୀମାନଙ୍କ ମଧ୍ୟରେ ବୈଜ୍ଞାନିକ ମନୋଭାବ ଗଢ଼ି ତୋଳିବ ବୋଲି ସେ କହିଛନ୍ତି।
ଭାରତରେ ବିମାନ ସଂଖ୍ୟା ୧୫ ହଜାରକୁ ବୃଦ୍ଧି ପାଇବ
କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଆଗାମୀ ୧୦ ବର୍ଷ ମଧ୍ୟରେ ଭାରତରେ ବିମାନ ସଂଖ୍ୟା ୧୫ ହଜାରକୁ ବୃଦ୍ଧି ପାଇବ। ଏଥିପାଇଁ ବହୁ ସଂଖ୍ୟାରେ ପାଇଲଟ୍, ଇଞ୍ଜିନିୟର ଓ ଡିଜାଇନର୍ର ଆବଶ୍ୟକତା ରହିବ। ଏହି ଷ୍ଟେମ୍ ଲ୍ୟାବ୍ଗୁଡ଼ିକ ଆଗାମୀ ଦିନରେ ବୈଷୟିକ ଶିକ୍ଷା କ୍ଷେତ୍ରରେ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ ବୋଲି ସେ ମତ ପ୍ରକାଶ କରିଥିଲେ।
ମିଶାଇଲ୍ ମ୍ୟାନ୍ ଭାରତରତ୍ନ ଏପିଜେ ଅବଦୁଲ କଲାମଙ୍କ ଉଦାହରଣ ଦେଇ ଶ୍ରୀ ପ୍ରଧାନ କହିଥିଲେ ଯେ ପିଲାମାନଙ୍କ ମଧ୍ୟରେ ‘କ୍ରିଟିକାଲ ଥିଙ୍କିଂ’ ଓ ମୌଳିକ ସ୍ପଷ୍ଟତା ବିକାଶ ପାଇଁ ବିଜ୍ଞାନ ସମେତ ଅନ୍ୟାନ୍ୟ ବିଷୟକୁ ମାତୃଭାଷାରେ ପଢ଼ାଇବା ଅତ୍ୟନ୍ତ ଜରୁରୀ।
ନୂତନ ପାଠ୍ୟକ୍ରମ ଓ ଶିକ୍ଷକ ପ୍ରଶିକ୍ଷଣ
ସେ ଆହୁରି କହିଛନ୍ତି ଯେ ଓଡ଼ିଶାରେ ଜାତୀୟ ଶିକ୍ଷା ନୀତି କାର୍ଯ୍ୟକାରୀ ହୋଇଥିବା ବେଳେ ୨୦୨୬-୨୭ ଶିକ୍ଷାବର୍ଷରୁ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ନୂତନ ପାଠ୍ୟପୁସ୍ତକ ପ୍ରଚଳନ କରାଯିବ। ଏହା ‘ଓଡ଼ିଶା ରାଜ୍ୟ ପାଠ୍ୟକ୍ରମ ଢାଞ୍ଚା’ (ଓଏସସିଏଫ) ଉପରେ ଆଧାରିତ ହେବ।
ରାଜ୍ୟର ୧ ଲକ୍ଷ ୬୭ ହଜାର ଶିକ୍ଷକଙ୍କୁ ନୂତନ ପାଠ୍ୟକ୍ରମରେ ଦକ୍ଷ କରିବା ପାଇଁ ଏନସିଇଆରଟି ଓ ଆଇଆଇଟି ମାଡ୍ରାସର ସହଯୋଗରେ ଏଆଇ ମାଧ୍ୟମରେ ପ୍ରଶିକ୍ଷଣ ଆରମ୍ଭ ହୋଇଥିବା ମଧ୍ୟ ସେ ଜଣାଇଥିଲେ। ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ମାତୃଭାଷାରେ ଶିକ୍ଷାଦାନକୁ ସୁଦୃଢ଼ କରିବା ଉପରେ ସେ ଗୁରୁତ୍ୱ ଦେଇଥିଲେ।
ଅବସରରେ ପ୍ରାୟ ୧୭୪ ବର୍ଷ ପୁରୁଣା ସିଏସବି ସ୍କୁଲକୁ ‘ବଟବୃକ୍ଷ’ ସହ ତୁଳନା କରି ଓଡ଼ିଶା ଗଠନରେ ସ୍ୱର୍ଗତ ଚନ୍ଦ୍ରଶେଖର ବେହେରାଙ୍କ ଅବଦାନକୁ ସ୍ମରଣ କରିଥିଲେ। ସ୍କୁଲର ମୁଖପତ୍ର ‘ବୈଜୟନ୍ତୀ’ ମଧ୍ୟ ଶ୍ରୀ ପ୍ରଧାନଙ୍କ କରକମଳରେ ଉନ୍ମୋଚିତ ହୋଇଥିଲା।





