ଚଣ୍ଡିଗଡ଼, ୧୬ ଅକ୍ଟୋବର: ପଞ୍ଜାବ ପୋଲିସର ରୋପାର ରେଞ୍ଜର ଡିଆଇଜି ହରଚରଣ ସିଂହ ଭୁଲ୍ଲରଙ୍କ ଘରୁ ଏକ ଗୁପ୍ତଧନ ଉଜାଗର ହୋଇଥିବା ଖବରେ ସେନ୍ସେସନ ସୃଷ୍ଟି ହୋଇଛି। କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (CBI) ତାଙ୍କୁ ଏକ ବଡ଼ ଲାଞ୍ଚ ମାମଲାରେ ଗିରଫ କରିଛି। ତାଙ୍କ ଘରୁ ଏତେ ଅଧିକ ଟଙ୍କା ମିଳିଥିଲା ଯେ ଗଣନା ପାଇଁ ବିଶେଷ ମେସିନ ମଗାଇବାକୁ ପଡ଼ିଲା।
ସିବିଆଇ ତଦନ୍ତ ଅନୁସାରେ, ଡିଆଇଜି ଭୁଲ୍ଲର ଜଣେ ସ୍କ୍ରାପ ଡିଲରଙ୍କ ସହ ୮ ଲକ୍ଷ ଟଙ୍କା ଲାଞ୍ଚ ଏବଂ ମାସିକ “ସେବାପାଣି” ନାମରେ ଦେୟ ପାଇଁ ଚୁକ୍ତି କରିଥିଲେ। ଫତେଗଡ଼ର ଆକାଶ ବଟ୍ଟା ନାମକ ସ୍କ୍ରାପ ଡିଲର ଅଭିଯୋଗ କରିଥିଲେ ଯେ ତାଙ୍କୁ ମିଥ୍ୟା ମାମଲାରେ ଫସାଇବାକୁ ଧମକ ଦେଇ ଟଙ୍କା ଦାବି ହୋଇଥିଲା।
ସିବିଆଇ ଜାଲ ବିଛାଇ ଚଣ୍ଡିଗଡ଼ର ସେକ୍ଟର ୨୧ ରେ ଟଙ୍କା ଗ୍ରହଣ ସମୟରେ ଡିଆଇଜିଙ୍କ ମଧ୍ୟସ୍ଥି କ୍ରିଶାନୁଙ୍କୁ ରେଡ୍ ହ୍ୟାଣ୍ଡେଡ୍ ଧରିଥିଲା। ପରେ କଣ୍ଟ୍ରୋଲ କଲ୍ ମାଧ୍ୟମରେ ଡିଆଇଜିଙ୍କ ସହ ସମ୍ପର୍କ ସ୍ଥାପନ ହେବା ପରେ ସେମାନଙ୍କୁ ତାଙ୍କ କାର୍ଯ୍ୟାଳୟରୁ ଗିରଫ କରାଯାଇଥିଲା।
ତଲାସି ସମୟରେ CBI ଦଳ ଡିଆଇଜିଙ୍କ ଚଣ୍ଡିଗଡ଼ ଓ ରୋପାର ରେସିଡେନ୍ସରୁ ପ୍ରାୟ ୫ କୋଟି ନଗଦ, ୧.୫ କିଲୋ ସୁନା, ୨୨ ଟି ଲଗଜରୀ ଘଣ୍ଟା, ଦୁଇଟି ଲଗଜରୀ କାର (ମର୍ସିଡିଜ ଓ ଅଡି), ୪୦ ଲିଟର ବିଦେଶୀ ମଦ ଓ ବେନାମୀ ସମ୍ପତ୍ତିର କାଗଜପତ୍ର ଜବତ କରିଥିଲା। ଏହାସହ ତାଙ୍କଠାରୁ ଏକ ଡବଲ ବ୍ୟାରେଲ ବନ୍ଧୁକ, ପିସ୍ତଲ, ରିଭଲଭର ଏବଂ ଏୟାରଗନ ମଧ୍ୟ ମିଳିଥିଲା।
ସିବିଆଇ ଦୁର୍ନୀତି ନିବାରଣ ଆଇନ ଅନୁଯାୟୀ ମାମଲା ରୁଜୁ କରିଛି। ଏହି ଗିରଫଦାରୀକୁ ଏଜେନ୍ସି ତାଙ୍କର “ଦୁର୍ନୀତି ବିରୋଧରେ ଶୂନ୍ୟ ସହିଷ୍ଣୁତା ନୀତି” ଭାବେ ବର୍ଣ୍ଣନା କରିଛି। ଡିଆଇଜି ଭୁଲ୍ଲର ଓ ମଧ୍ୟସ୍ଥି କ୍ରିଶାନୁଙ୍କୁ ଅକ୍ଟୋବର ୧୭ ରେ କୋର୍ଟରେ ହାଜର କରାଯିବ।