ନୂଆଦିଲ୍ଲୀ: ଭାରତର ନିର୍ବାଚନ କମିସନ (ECI) ଦେଶର ଆଉ ୧୨ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ସ୍ବତନ୍ତ୍ର ଭୋଟର ତାଲିକା ସଂଶୋଧନ (SIR) ଆରମ୍ଭ କରିବାକୁ ଘୋଷଣା କରିଛି। ସୋମବାର ଏକ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର ଏହି ନିଷ୍ପତ୍ତି ଘୋଷଣା କରିଛନ୍ତି।
ବିହାରରେ ସଫଳ ପ୍ରୟୋଗ ପରେ ଦ୍ୱିତୀୟ ପର୍ଯ୍ୟାୟ
ଜ୍ଞାନେଶ କୁମାର କହିଛନ୍ତି ଯେ, ବିହାରରେ SIR ସଫଳ ଭାବରେ କାର୍ଯ୍ୟକାରୀ ହେବା ପରେ, ଏବେ ଏହାର ଦ୍ୱିତୀୟ ପର୍ଯ୍ୟାୟ ଦେଶର ଅନ୍ୟାନ୍ୟ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ଆରମ୍ଭ ହେବ। ଏହି ପର୍ଯ୍ୟାୟରେ ଆଣ୍ଡାମାନ ଏବଂ ନିକୋବର, ଛତିଶଗଡ, ଗୋଆ, ଗୁଜୁରାଟ, କେରଳ, ଲକ୍ଷ୍ମୀଦ୍ୱୀପ, ମଧ୍ୟପ୍ରଦେଶ, ପୁଡୁଚେରୀ, ରାଜସ୍ଥାନ, ତାମିଲନାଡୁ, ଉତ୍ତରପ୍ରଦେଶ ଓ ପଶ୍ଚିମବଙ୍ଗ ଅନ୍ତର୍ଭୁକ୍ତ ହେବ।
SIR ର ଉଦ୍ଦେଶ୍ୟ କଣ?
ଏହି ଅଭିଯାନର ଲକ୍ଷ୍ୟ ହେଉଛି — ଯୋଗ୍ୟ ଭୋଟରମାନଙ୍କୁ ତାଲିକାରେ ଯୋଡିବା, ଅଯୋଗ୍ୟ କିମ୍ବା ଡୁପ୍ଲିକେଟ ନାମଗୁଡ଼ିକୁ ହଟାଇବା ଏବଂ ଭୋଟର ତାଲିକାକୁ ସଠିକ ରଖିବା। ୧୯୫୧ ରୁ ୨୦୦୪ ମଧ୍ୟରେ ଏପରି ସଂଶୋଧନ ୮ ଥର ହୋଇଥିଲା ବୋଲି ଜଣାପଡ଼ିଛି।
ଆଜି ରାତି ୧୨ଟାରୁ ଫ୍ରିଜ୍ ହେବ ଭୋଟର ତାଲିକା
ମୁଖ୍ୟ ନିର୍ବାଚନ କମିଶନର କହିଛନ୍ତି ଯେ, ଏସଆଇଆର ହେଉଥିବା ରାଜ୍ୟଗୁଡ଼ିକର ଭୋଟର ତାଲିକା ଆଜି ରାତି ୧୨ଟାରୁ ଫ୍ରିଜ୍ ହୋଇଯିବ। ପ୍ରତ୍ୟେକ ପୋଲିଂ ବୁଥରେ ଜଣେ BLO (Booth Level Officer) ଏବଂ ପ୍ରତ୍ୟେକ ବିଧାନସଭା ମଣ୍ଡଳୀରେ ଜଣେ ERO (Electoral Registration Officer) ନିଯୁକ୍ତ ହେବେ। BLOମାନେ ଘରେ ଘରେ ଯାଇ ତିନିଥର ସୂଚନା ସଂଗ୍ରହ କରିବେ, ଯେଉଁଠି ନିର୍ବାଚକମାନେ ଅନଲାଇନରେ ମଧ୍ୟ ତାଙ୍କ ତଥ୍ୟ ଅଦ୍ୟତନ କରିପାରିବେ।





