ବେତନଟୀ, ୫ ନଭେମ୍ବର (ଦୀପକ କୁମାର ସିଂହ): ମୟୂରଭଞ୍ଜ ଜିଲ୍ଲାର ବେତନଟୀ ରେଞ୍ଜ ଅଧୀନ ଆଗ୍ରିଆ ରେଳଫାଟକ ନିକଟରେ ଗତ ୧ ନଭେମ୍ବର ବିଳମ୍ବିତ ରାତିରେ ଦ୍ରୁତଗାମୀ ଶାଲିମାର ସୁପରଫାଷ୍ଟ ଟ୍ରେନ୍ର ଧକ୍କାରେ ଏକ ବିଶାଳ ଦନ୍ତାହାତୀ ମୃତ୍ୟୁ ଘଟିଥିଲା। ଏହି ଦୁର୍ଘଟଣାକୁ ନେଇ ବନବିଭାଗ ଆଜି କଠୋର କାର୍ଯ୍ୟାନୁଷ୍ଠାନ ନେଇଛି। ଘଟଣାରେ ଅବହେଳା ଦାୟୀ ଠାରୁ ଜଣେ ବନପାଳ ଓ ଦୁଇଜଣ ବନରକ୍ଷୀଙ୍କୁ ନିଲମ୍ବନ କରାଯାଇଛି।
ସୂଚନା ଅନୁସାରେ, ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ନିର୍ଦେଶକ ଓ ଆଞ୍ଚଳିକ ମୁଖ୍ୟ ବନସଂରକ୍ଷକ ଡ଼. ପ୍ରକାଶଚାନ୍ଦ ଗୋଗିନେନି ନିଜ କାର୍ଯ୍ୟାଳୟ ନିର୍ଦେଶ ଅନୁସାରେ ହାତୀ ଚଳାଚଳ ବିଷୟରେ ରେଳ ବିଭାଗ ସହିତ ସମନ୍ୱୟ ରକ୍ଷାରେ ଅବହେଳା କରିଥିବା ଓ ହାତୀ ପରିଚାଳନାରେ ତ୍ରୁଟି ପ୍ରଦର୍ଶନ କରିଥିବା ଅଭିଯୋଗରେ ବେତନଟୀ ହେଡକ୍ୱାର୍ଟର ବନପାଳ ପ୍ରଦୀପ ଦେହୁରୀଙ୍କୁ ନିଲମ୍ବନ କରିଛନ୍ତି।
ସେହିପରି ବାରିପଦା ବନଖଣ୍ଡ ଅଧିକାରୀ ଗୋବିନ୍ଦଚନ୍ଦ୍ର ବିଶ୍ୱାଳ ମଧ୍ୟ ତଦନ୍ତ ପରେ ନଡପୁର ବନରକ୍ଷୀ ହୃଶୀକେଶ ବେହେରା ଓ ଯୁଗଳ ବନରକ୍ଷୀ ଜୟନ୍ତୀ ପାତ୍ରଙ୍କୁ ଚାକିରୀରୁ ନିଲମ୍ବନ କରିଛନ୍ତି। ନିଲମ୍ବନ ସମୟରେ ସେମାନଙ୍କୁ ନିଜ ହେଡକ୍ୱାର୍ଟର ଛାଡ଼ିବାକୁ ବାରଣ କରାଯାଇଛି ଏବଂ ଉପରିସ୍ଥ ଅଧିକାରୀଙ୍କ ବିନା ଅନୁମତିରେ କୌଣସି ସ୍ଥାନକୁ ଯିବାକୁ ମନା କରାଯାଇଛି।
ବିଭାଗ ସୂତ୍ର ଅନୁସାରେ, ଏହି ହାତୀ ମୃତ୍ୟୁ ଘଟଣାର ତଦନ୍ତ ଚାଲିଛି। ଆଗାମୀ ଦିନରେ ଯଦି ଅଧିକାରୀ କିମ୍ବା କର୍ମଚାରୀଙ୍କ ଅବହେଳା ପ୍ରମାଣିତ ହୁଏ, ତେବେ ଆଇନ ଅନୁଯାୟୀ କଠୋର ପଦକ୍ଷେପ ନିଆଯିବ ବୋଲି ବନବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।





