ଭୁବନେଶ୍ବର: ବିଶ୍ବରେ ଭୂ-ରାଜନୈତିକ ଅସ୍ଥିରତା ବଢ଼ିବା ସହିତ ସୁନା ଓ ରୁପା ଦର ଲଗାତାର ନୂଆ ରେକର୍ଡ ସୃଷ୍ଟି କରୁଛି। ଏହାର ସରାସରି ପ୍ରଭାବ ଭାରତୀୟ ବଜାରରେ ପଡ଼ିଥିବା ବେଳେ, ଭୁବନେଶ୍ବର ବଜାରରେ ସୁନା–ରୁପା ଦର ଆଜି ଐତିହାସିକ ସ୍ତରକୁ ପହଞ୍ଚିଛି।
ଆଜି ଭୁବନେଶ୍ବରରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ପିଛା ଦର ୧ ଲକ୍ଷ ୩୦ ହଜାର ଟଙ୍କା ଟପିଛି। ଗତ ଶନିବାର ତୁଳନାରେ ଏହାରେ ୧,୫୫୦ ଟଙ୍କା ବୃଦ୍ଧି ଘଟିଛି। ସେହିପରି ୨୪ କ୍ୟାରେଟ୍ ସୁନା ଦର ୧,୬୯୦ ଟଙ୍କା ବଢ଼ି ୧ ଲକ୍ଷ ୪୨ ହଜାର ୧୫୦ ଟଙ୍କାରେ ପହଞ୍ଚିଛି।
ସୁନା ସହିତ ସହିତ ରୁପା ଦରରେ ମଧ୍ୟ ଭୟଙ୍କର ବୃଦ୍ଧି ଦେଖାଦେଇଛି। କିଲୋଗ୍ରାମ ପିଛା ରୁପା ଦର ଆଜି ଏକାଥରେ ୧୨ ହଜାର ଟଙ୍କା ବଢ଼ି ୨ ଲକ୍ଷ ୮୭ ହଜାର ଟଙ୍କାକୁ ଛୁଇଁଛି, ଯାହା ନିବେଶକମାନଙ୍କୁ ଚିନ୍ତାରେ ପକାଇଛି।
ତଥ୍ୟ ଅନୁଯାୟୀ, ୨୦୨୬ ମସିହାର ପ୍ରଥମ ଦିନ ଭୁବନେଶ୍ବର ବଜାରରେ ୨୪ କ୍ୟାରେଟ୍ ସୁନା ଦର ୧,୩୫,୦୬୦ ଟଙ୍କା ଏବଂ ୨୨ କ୍ୟାରେଟ୍ ସୁନା ଦର ୧,୨୩,୮୦୦ ଟଙ୍କା ଥିଲା। ଗତ ୧୨ ଦିନ ମଧ୍ୟରେ ସୁନା ଦର ପ୍ରାୟ ୫.୨୫ ପ୍ରତିଶତ ବଢ଼ିଛି। ଅନ୍ୟପକ୍ଷରେ, ଏହି ସମୟ ମଧ୍ୟରେ ରୁପା ଦର ୧୨.୧୧ ପ୍ରତିଶତ ବୃଦ୍ଧି ପାଇଛି।
୨୦୨୬ ମସିହା ପହିଲା ଦିନେ ରୁପା ଦର ୨,୫୬,୦୦୦ ଟଙ୍କା ଥିବା ବେଳେ, ଏବେ ତାହା ୩୧ ହଜାର ଟଙ୍କା ଅଧିକ ବଢ଼ିଛି। ବିଶେଷଜ୍ଞମାନଙ୍କ କହିବା ଅନୁସାରେ, ଆମେରିକା ଓ ଇରାନ ମଧ୍ୟରେ ବଢୁଥିବା ତଣାତଣି ଯୋଗୁଁ ନିବେଶକମାନେ ସୁନା ଓ ରୁପା ଭଳି ସୁରକ୍ଷିତ ଧାତୁ ଦିଗକୁ ଅଧିକ ଆକର୍ଷିତ ହେଉଛନ୍ତି। ଏହି କାରଣରୁ ମୂଲ୍ୟବାନ ଧାତୁ ବଜାରରେ ଦର ଅସାଧାରଣ ଭାବେ ବୃଦ୍ଧି ପାଉଛି।





