ଭୁବନେଶ୍ବର: ମଧ୍ୟପ୍ରାଚ୍ୟର ଯୁଦ୍ଧ ପରିସ୍ଥିତି ଯେଉଁଠି ତେଲ ଦର ଓ ଷ୍ଟକ୍ ମାର୍କେଟ୍‌କୁ ଅସ୍ଥିର କରିଦେଇଛି, ସେଠାରେ ସୁନା କିଣିବାକୁ ଅପେକ୍ଷା କରୁଥିବା ଗ୍ରାହକଙ୍କ ପାଇଁ ଆଜି ଏକ ସୁଖଦ ଖବର ଆସିଛି। ଦିନକରେ ସୁନା ଦରରେ ବଡ଼ ପତନ ଘଟିଛି।

ଭୁବନେଶ୍ବର ବଜାରରେ ୨୪ କ୍ୟାରେଟ୍‌ ସୁନା ଦର ୧୦ ଗ୍ରାମ୍‌ ପିଛା ୧୦,୩୨୦ ଟଙ୍କା କମି ୧,୩୫,୬୫୦ ଟଙ୍କାରେ ରହିଛି। ସେହିପରି ୨୨ କ୍ୟାରେଟ୍‌ ସୁନା ଦର ମଧ୍ୟ ୯,୪୫୦ ଟଙ୍କା ହ୍ରାସ ପାଇ ୧,୨୪,୩୫୦ ଟଙ୍କାରେ ପହଞ୍ଚିଛି। ଏହି ବୃହତ୍ ପତନ ଦିନରେ ଦୁଇଟି ପର୍ଯ୍ୟାୟରେ ଘଟିଥିବା ଦେଖିବାକୁ ମିଳିଛି।

ସେହିଭଳି ରୁପା ଦରରେ ମଧ୍ୟ ଗୁରୁତର ହ୍ରାସ ଦେଖାଯାଇଛି। ଆଜି କିଲୋଗ୍ରାମ୍‌ ପିଛା ରୁପା ଦର ୨୦ ହଜାର ଟଙ୍କା କମି ୨,୩୦,୦୦୦ ଟଙ୍କାରେ ରହିଛି। ଗତ ୧୮ ତାରିଖରୁ ସୁନା ଓ ରୁପା ଦର ଧୀରେ ଧୀରେ କମୁଥିବା ପରିଲକ୍ଷିତ ହେଉଛି।

ବାହାଘର, ବ୍ରତଘର ଓ ଅନ୍ୟ ଆବଶ୍ୟକତା ପାଇଁ ସୁନା-ରୁପା କିଣିବାକୁ ଅପେକ୍ଷା କରୁଥିବା ଗ୍ରାହକମାନେ ଏହାରୁ ଲାଭ ପାଇଛନ୍ତି। ତଥାପି, ଉଚ୍ଚ ରିଟର୍ଣ୍ଣ ଆଶାରେ ନିବେଶ କରିଥିବା ଲୋକମାନେ ଏହି ହ୍ରାସ ଦ୍ୱାରା ନିରାଶ ହୋଇଛନ୍ତି।

ଅନ୍ତର୍ଜାତୀୟ ବଜାରରେ ମଧ୍ୟ ସୁନା ଦର ହ୍ରାସ ପାଇଛି। ଆଜି ପ୍ରତି ଆଉନ୍ସ ଦର ପ୍ରାୟ ୬.୩ ପ୍ରତିଶତ କମି ୪୨୦୩.୨୧ ଡଲାରରେ ରହିଛି। ବିଶ୍ୱ ଅନିଶ୍ଚିତତା ଓ ଯୁଦ୍ଧ ପରିସ୍ଥିତି ମଧ୍ୟରେ ନିବେଶକମାନଙ୍କ ମନୋଭାବ ପରିବର୍ତ୍ତନ ହେବାରୁ ଏହି ପତନ ଦେଖାଯାଇଛି।