ନୂଆଦିଲ୍ଲୀ, ୧୯।୨: ଭାରତୀୟ ବଜାରରେ ଆହୁରି ମଜବୁତ ଉପସ୍ଥିତି ସୃଷ୍ଟି କରିବା ପାଇଁ Google ବିଶାଖାପାଟଣାରେ ଏକ ଏଆଇ ହବ୍ ସ୍ଥାପନ କରିବାକୁ ଘୋଷଣା କରିଛି। ନୂଆଦିଲ୍ଲୀରେ ଆୟୋଜିତ ଏକ ଏଆଇ ସମ୍ମିଳନୀରେ କମ୍ପାନିର ସିଇଓ Sundar Pichai ଏହି ସୂଚନା ଦେଇଛନ୍ତି।
ସମ୍ମିଳନୀର ଏକ ଅଧିବେଶନରେ ଅଂଶଗ୍ରହଣ କରି ପିଚାଇ କହିଥିଲେ ଯେ, ଭାରତର ବିଭିନ୍ନ ଅର୍ଥନୀତିକ କ୍ଷେତ୍ରରେ କୃତ୍ରିମ ବୁଦ୍ଧିମତ୍ତା (ଏଆଇ)ର ବ୍ୟାପକ ସମ୍ଭାବନା ରହିଛି। ବିଶେଷତଃ ଅନିଶ୍ଚିତ ପାଣିପାଗ ପରିସ୍ଥିତିକୁ ଦୃଷ୍ଟିରେ ରଖି ଚାଷୀମାନଙ୍କୁ ସମୟୋପଯୋଗୀ ଆବହାବାନୀ ସୂଚନା ଯୋଗାଇବାରେ ଏଆଇ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇପାରିବ।
ସେ ଆହୁରି କହିଥିଲେ ଯେ, ଏଆଇର ବିକାଶ ଏପରି ଭାବେ ହେବା ଉଚିତ୍ ଯେଉଁଥିରେ ଅର୍ଥନୈତିକ ଅସମାନତା ବୃଦ୍ଧି ନହୁଏ। ଡିଜିଟାଲ୍ ଡିଭାଇଡ୍ ଯେପରି ଦୁଇ ପ୍ରକାର ସମାଜ ମଧ୍ୟରେ ଅନ୍ତର ସୃଷ୍ଟି କରିଛି, ଏଆଇ ବ୍ୟବହାର ମଧ୍ୟ ସେହିପରି ପରିସ୍ଥିତି ସୃଷ୍ଟି ନକରୁ ବୋଲି ସେ ଉଲ୍ଲେଖ କରିଥିଲେ।
ଅର୍ଥନୈତିକ ସମତା ରକ୍ଷା କରିବା ପାଇଁ ଏଆଇ କ୍ଷେତ୍ରରେ ଅଧିକ ପୁଞ୍ଜିନିବେଶ ଓ ସମାବେଶୀ ପଦକ୍ଷେପ ଆବଶ୍ୟକ ବୋଲି ପିଚାଇ ଜୋର ଦେଇ କହିଥିଲେ। ବିଶାଖାପାଟଣାରେ ପ୍ରସ୍ତାବିତ ଏହି ଏଆଇ ହବ୍ ଦେଶର ପ୍ରଯୁକ୍ତି ଢାଞ୍ଚାକୁ ଆହୁରି ଶକ୍ତିଶାଳୀ କରିବ ବୋଲି ଆଶା କରାଯାଉଛି।





