ପୁରୀ: ରାଷ୍ଟ୍ରୀୟ ରାଜଧାନୀ ନୂଆଦିଲ୍ଲୀର ଐତିହାସିକ ସ୍ଥଳୀ ଲାଲକିଲ୍ଲା ନିକଟରେ ଘଟିଥିବା ବିସ୍ଫୋରଣ ପରେ ସମଗ୍ର ଓଡ଼ିଶାରେ ସୁରକ୍ଷା ବ୍ୟବସ୍ଥାକୁ ମଜବୁତ କରାଯାଇଛି। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ‘ଶ୍ରୀକ୍ଷେତ୍ର’ ପୁରୀ ସହିତ ସମଗ୍ର ରାଜ୍ୟରେ ହାଇ ଆଲର୍ଟ ଘୋଷିତ ହୋଇଛି।

ପୁରୀ ଜିଲ୍ଲା ପୁଲିସ ଆରକ୍ଷୀ ଅଧୀକ୍ଷକ ପ୍ରତୀକ ସିଂହ ଗଣମାଧ୍ୟମକୁ କହିଛନ୍ତି ଯେ, ଦିଲ୍ଲୀ ଘଟଣା ପରେ ପୁରୀରେ ସୁରକ୍ଷା ବ୍ୟବସ୍ଥାକୁ କଠୋର ଭାବେ ମଜବୁତ କରାଯାଇଛି। ଶ୍ରୀଜଗନ୍ନାଥ ମନ୍ଦିର, ବଡଦାଣ୍ଡ, ବସ ଷ୍ଟାଣ୍ଡ, ରେଳଷ୍ଟେସନ ଓ ସମୁଦ୍ରତଟରେ ଅତିରିକ୍ତ ପୁଲିସ ମୋତାୟନ କରାଯାଇଛି। ସମସ୍ତ ପ୍ରବେଶପଥରେ ନାକା ଚେକିଂ ବୃଦ୍ଧି କରାଯାଇଛି ଓ ଯାନବାହନ ଯାଞ୍ଚ ତିବ୍ର ହେଉଛି।

ମନ୍ଦିର ଚାରିପାଖରେ ସାନିଟାଇଜେସନ ଓ ଯାନ ନିଷେଧ:

ଶ୍ରୀମନ୍ଦିର ପରିସରରେ ସମସ୍ତ ସନ୍ଦେହଜନକ ସ୍ଥାନ ସାନିଟାଇଜ କରାଯାଉଛି ଏବଂ ମନ୍ଦିର ଚାରିପାଖରୁ ଯାନବାହନ ହଟାଯାଉଛି। ପୁରୀ ରେଳଷ୍ଟେସନ ଓ ଜିଆରପି ସହ ଯୁଗ୍ମ ସୁରକ୍ଷା ବ୍ୟବସ୍ଥା ଗଠନ କରାଯାଇଛି। ପ୍ରୟୋଜନ ହେଲେ ବୋମା ନିଷ୍କ୍ରିୟ ଟିମ ମଧ୍ୟ ଯୋଗାଇ ଦିଆଯିବ।

ପୁରୀ ଏସପି ପ୍ରତୀକ ସିଂହ କହିଛନ୍ତି, “ସମସ୍ତ ଥାନା ଅଧିକାରୀଙ୍କୁ ସତର୍କ କରାଯାଇଛି। ପୁରୀ ସହରରେ କୌଣସି ସନ୍ଦେହଜନକ କାର୍ଯ୍ୟକଳାପ ଦେଖିଲେ ଆମ ହେଲ୍ପଲାଇନ ୧୧୨ ନମ୍ବରରେ ସୂଚନା ଦିଆଯାଉ।”

ଦିଲ୍ଲୀ ବିସ୍ଫୋରଣରେ ୧୩ ମୃତ, ୨୪ ଆହତ:

ସୂଚନା ଅନୁସାରେ, ନୂଆଦିଲ୍ଲୀର ଲାଲକିଲ୍ଲା ନିକଟରେ ଆଜି ସନ୍ଧ୍ୟା ସମୟରେ ହୋଇଥିବା ଭୟାନକ ବିସ୍ଫୋରଣରେ ଏପର୍ଯ୍ୟନ୍ତ ୧୩ ଜଣଙ୍କ ମୃତ୍ୟୁ ଓ ୨୪ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଘଟଣା ପରେ କେନ୍ଦ୍ର ଓ ରାଜ୍ୟ ସରକାର ଉଭୟ ସତର୍କ ହୋଇ ପଡ଼ିଛନ୍ତି ଓ ସମସ୍ତ ମୁଖ୍ୟ ଧାର୍ମିକ ଓ ପର୍ଯ୍ୟଟନ ସ୍ଥଳୀରେ ସୁରକ୍ଷା ବୃଦ୍ଧି କରାଯାଇଛି।