ବିଲାସପୁର, ୭ ଅକ୍ଟୋବର: ହିମାଚଳ ପ୍ରଦେଶର ବିଲାସପୁର ଜିଲ୍ଲାରେ ରବିବାର ଏକ ଭୟାବହ ବସ ଦୁର୍ଘଟଣା ଘଟିଛି, ଯେଉଁଠି କମରେ କମେ ୧୫ ଜଣ ଲୋକ ମୃତ୍ୟୁବରଣ କରିଛନ୍ତି ଓ ଅନେକେ ଆହତ ହୋଇଛନ୍ତି। ବଲ୍ଲୁ ବ୍ରିଜ ନିକଟରେ ହୋଇଥିବା ଏହି ଦୁର୍ଘଟଣା ଭୂସ୍ଖଳନ ଯୋଗୁ ଘଟିଥିବା ଜଣାପଡ଼ିଛି।

ସୂତ୍ର ଅନୁସାରେ, ଏକ ପାହାଡ଼ ଅଞ୍ଚଳରୁ ବିଶାଳ ପଥର ଓ ମାଟି ଖସି ପଡ଼ି ବସଟି ଉପରେ ଅତଡା ଲାଗିଥିଲା। ଏହାର ପରିଣତିରେ ବସ ଗୁରୁତର ଭାବରେ କ୍ଷତିଗ୍ରସ୍ତ ହୋଇଯାଇଛି। ବସରେ ୩୦ରୁ ଅଧିକ ଯାତ୍ରୀ ଥିବା ବେଳେ ଅନେକ ଲୋକ ଏପର୍ଯ୍ୟନ୍ତ ଭଗ୍ନାବଶେଷ ତଳେ ଚାପିହୋଇ ରହିଥିବା ଆଶଙ୍କା କରାଯାଉଛି।

ଘଟଣାସ୍ଥଳରେ ବିପଦ ପରିଚାଳନା ବିଭାଗ ଓ ଦମକଳ ବିଭାଗ ଦ୍ୱାରା ତିବ୍ର ରେସ୍କ୍ୟୁ ଅପରେସନ ଜାରି ରହିଛି। ସ୍ଥାନୀୟ ପ୍ରଶାସନ ଓ ପୁଲିସ ମିଳି ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି।

ସରକାରୀ ସୂତ୍ରମାନେ କହିଛନ୍ତି, ଆହତମାନଙ୍କୁ ନିକଟସ୍ଥ ହସ୍ପିଟାଲକୁ ନେଇ ଚିକିତ୍ସା ଦିଆଯାଉଛି। ମୃତମାନଙ୍କ ସଂଖ୍ୟା ଆହୁରି ବଢ଼ି ପାରେ ବୋଲି ଆଶଙ୍କା ରହିଛି।