ଭୁବନେଶ୍ୱର: ଜମ୍ମୁ କଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ବଢ଼ୁଥିବା ଉତ୍ତେଜନାର ପ୍ରଭାବ ଏବେ ରେଳବାଇ ଉପରେ ମଧ୍ୟ ପଡ଼ିଛି। ରେଳ ମନ୍ତ୍ରାଳୟ ତରଫରୁ ଦେଶର ବିଭିନ୍ନ ଅଞ୍ଚଳରେ ୧୫ ତାରିଖ ପର୍ଯ୍ୟନ୍ତ ୧୧ଟି ଟ୍ରେନ୍କୁ ପୂର୍ଣ୍ଣ ଓ ୯ଟି ଟ୍ରେନ୍କୁ ଆଂଶିକ ବାତିଲ କରାଯାଇଛି। ଏହି ତାଲିକାରେ ହୀରାକୁଦ ଏକ୍ସପ୍ରେସ୍ (୨୦୮୦୭/୨୦୮୦୮) ମଧ୍ୟ ସାମିଲ ଅଛି।
ଅମୃତସର ଯିବନି, ଦିଲ୍ଲୀ ପର୍ଯ୍ୟନ୍ତ ଚାଲିବ:
ପୂର୍ବତଟ ରେଳପଥ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ବିଶାଖାପାଟଣା-ଅମୃତସର ହୀରାକୁଦ ଏକ୍ସପ୍ରେସ୍କୁ ଏବେ ଆଂଶିକ ବାତିଲ କରାଯାଇଛି। ଏହି ଟ୍ରେନ୍ ବର୍ତ୍ତମାନ ବିଶାଖାପାଟଣା ଠାରୁ ମାତ୍ର ନୂଆଦିଲ୍ଲୀ ପର୍ଯ୍ୟନ୍ତ ଚାଲିବ; ଅମୃତସର ଯିବେ ନାହିଁ।
ଓଡ଼ିଶା ରୁଟ୍ରେ ଏହି ଷ୍ଟେସନ୍ଗୁଡ଼ିକୁ ସ୍ପର୍ଶ କରିଥାଏ:
ବ୍ରହ୍ମପୁର, ଛତ୍ରପୁର, ବାଳୁଗାଁ, ଖୋର୍ଦ୍ଧାରୋଡ୍, ଭୁବନେଶ୍ୱର, ଢେଙ୍କାନାଳ, ତାଳଚେର, ଅନୁଗୁଳ, ରେଢ଼ାଖୋଲ, ସମ୍ବଲପୁର ସିଟି, ଝାରସୁଗୁଡ଼ା ରୋଡ୍ ଓ ବ୍ରଜରାଜନଗର ଷ୍ଟେସନ୍ରେ ଏହି ଟ୍ରେନ୍ ରୁକୁଛି। ସାଧାରଣତଃ ଏହି ଟ୍ରେନ୍ ସପ୍ତାହରେ ତିନିଦିନ (ମଙ୍ଗଳବାର, ଶୁକ୍ରବାର ଓ ଶନିବାର) ଚାଲିଥାଏ।
ଆତଙ୍କବାଦୀ ଆକ୍ରମଣ ଓ ଭାରତର ପ୍ରତିକ୍ରିୟା:
ଗତମାସ ୨୨ ତାରିଖରେ ଦକ୍ଷିଣ କଶ୍ମୀରର ପର୍ଯ୍ୟଟନ ଅଞ୍ଚଳ ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୨୬ ଜଣ ମୃତ୍ୟୁବରଣ କରିଥିଲେ, ଯେଉଁଥିରେ ୨ ଜଣ ଓଡ଼ିଆ ମଧ୍ୟ ଥିଲେ। ଏହାପରେ ଭାରତ ସରକାର ଅପରେସନ୍ ‘ସିନ୍ଦୂର’ ଅଭିଯାନ ଆରମ୍ଭ କରି, ପାକିସ୍ତାନ ଓ ପାକ୍ ଅଧିକୃତ କଶ୍ମୀରର ୯ଟି ଆତଙ୍କବାଦୀ ଅଡ୍ଡାକୁ ନିଶାନା କରି ଧ୍ବଂସ କରିଥିଲା।
ସୀମାରେ ଚାଲୁଛି ପ୍ରତିକ୍ରିୟା:
ଭାରତୀୟ ସେନା ଏବେ ଡ୍ରୋନ୍, ମିସାଇଲ୍ ଓ ଅନ୍ୟାନ୍ୟ ଆକ୍ରମଣକୁ ସଠିକ୍ ଭାବେ ପ୍ରତିକ୍ରିୟା ଦେଉଛି। ଏହି ଉତ୍ତେଜନା ମଧ୍ୟରେ ଦେଶର ଭିତରେ ରେଳବାଇ, ବିମାନ ଓ ଅନ୍ୟାନ୍ୟ ସେବାରେ ମଧ୍ୟ ପ୍ରଭାବ ପଡ଼ିଛି।