ୱାସିଂଟନ/ନୂଆଦିଲ୍ଲୀ: ଆମେରିକା-ଇରାନ ମଧ୍ୟରେ ଶାନ୍ତି ଆଲୋଚନା ବିଫଳ ହେବା ପରେ Strait of Hormuz କେନ୍ଦ୍ରକରି ତଣାପୋଡ଼ ଗଭୀର ହୋଇପାରିଛି। ଆମେରିକା ରାଷ୍ଟ୍ରପତି Donald Trump ଆକ୍ରମଣାତ୍ମକ ଭାବେ କହିଛନ୍ତି ଯେ, ଏହି ଜଳପଥରେ ଜାହାଜ ଚଳାଚଳ ଅବରୋଧ କରାଯିବ ଏବଂ ଆବଶ୍ୟକ ପଡ଼ିଲେ କଠୋର ପଦକ୍ଷେପ ନିଆଯିବ।
ଟ୍ରମ୍ପଙ୍କ ଏହି ଚେତାବନୀ ପରେ ବିଶ୍ୱ ମାନଚିତ୍ରରେ ଆତଙ୍କ ସୃଷ୍ଟି ହୋଇଛି। ସେ ନୌସେନାକୁ ନିର୍ଦ୍ଦେଶ ଦେଇଛନ୍ତି ଯେ, ହର୍ମୁଜ ଦେଇ ଯାଉଥିବା କୌଣସି ଜାହାଜକୁ ଅଟକାଯିବ। ଅନ୍ୟପକ୍ଷରେ ଇରାନ ମଧ୍ୟ ପ୍ରତିଚ୍ୟାଲେଞ୍ଜ ଦେଇ କହିଛି ଯେ, ତାଙ୍କ ଅନୁମତି ବିନା ଜାହାଜ ଚଳାଚଳ କଲେ ତୁରନ୍ତ ସାମରିକ କାର୍ଯ୍ୟାନୁଷ୍ଠାନ ନିଆଯିବ।
ପାକିସ୍ତାନର ଇସଲାମାବାଦରେ ଆଲୋଚନା ବିଫଳ ଘୋଷଣା ପରେ ଆମେରିକା ହର୍ମୁଜ ଅଞ୍ଚଳରେ ସକ୍ରିୟ ହୋଇଯାଇଛି। ଟ୍ରମ୍ପ ତାଙ୍କ ‘ଟ୍ରୁଥ୍’ ସୋସିଆଲ୍ ମିଡିଆରେ କହିଛନ୍ତି ଯେ, ଅବରୋଧ ଅଭିଯାନ ଖୁବ୍ ଶୀଘ୍ର ଆରମ୍ଭ ହେବ। ଏହାରେ ଅନ୍ୟ ଦେଶମାନଙ୍କ ସହଯୋଗ ମଧ୍ୟ ନିଆଯିବ ବୋଲି ସେ ସୂଚନା ଦେଇଛନ୍ତି।
ଏହି ପରିସ୍ଥିତି ବିଶ୍ୱ ତୈଳ ବଜାର ପାଇଁ ଗଭୀର ସଙ୍କେତ ଦେଉଛି। କାରଣ ହର୍ମୁଜ ପ୍ରଣାଳୀ ଦେଇ ବିଶ୍ୱର ପ୍ରାୟ ୨୦ ପ୍ରତିଶତ ତେଲ ପରିବହନ ହୁଏ। ଏହି ରୁଟ୍ ବନ୍ଦ ହେଲେ ଅନ୍ତର୍ଜାତୀୟ ବଜାରରେ ତେଲ ଦର ହଠାତ୍ ବୃଦ୍ଧି ପାଇପାରେ।
ଭାରତ ପାଇଁ ମଧ୍ୟ ଏହା ଗଭୀର ଚିନ୍ତାର କାରଣ। ଭାରତ ପ୍ରତିଦିନ ପ୍ରାୟ ୨.୫ରୁ ୨.୭ ମିଲିୟନ୍ ବ୍ୟାରେଲ୍ ତେଲ ଏହି ରାସ୍ତା ଦେଇ ଆମଦାନି କରୁଛି। ଇରାକ, ସାଉଦି ଆରବ, United Arab Emirates ଓ କୁଏତ୍ ଭଳି ଦେଶରୁ ତେଲ ଯୋଗାଣ ବିଘ୍ନିତ ହେବାର ସମ୍ଭାବନା ରହିଛି।
ଏହା ସହିତ ଭାରତରେ ଏଲ୍ପିଜି ଓ ଏଲ୍ଏନ୍ଜି ଯୋଗାଣ ଉପରେ ମଧ୍ୟ ପ୍ରଭାବ ପଡ଼ିପାରେ। ଦେଶର ୮୦-୮୫ ପ୍ରତିଶତ ଏଲ୍ପିଜି ଏବଂ ପ୍ରାୟ ୬୦ ପ୍ରତିଶତ ଏଲ୍ଏନ୍ଜି ଏହି ପଥ ଦେଇ ଆସୁଥିବାରୁ, ଯଦି ଅବରୋଧ ଦୀର୍ଘସ୍ଥାୟୀ ହୁଏ, ତେବେ ସାଧାରଣ ଲୋକ ଠାରୁ ଶିଳ୍ପ କ୍ଷେତ୍ର ପର୍ଯ୍ୟନ୍ତ ଗଭୀର ପ୍ରଭାବ ପଡ଼ିପାରେ।
ବର୍ତ୍ତମାନ ପରିସ୍ଥିତିରେ ହର୍ମୁଜ ପ୍ରଣାଳୀକୁ ନେଇ ଯେଉଁ ତଣାପୋଡ଼ ସୃଷ୍ଟି ହୋଇଛି, ତାହା ଆଗାମୀ ଦିନରେ ବିଶ୍ୱ ଅର୍ଥନୀତି ପାଇଁ ବଡ଼ ଚ୍ୟାଲେଞ୍ଜ୍ ହେବାର ସମ୍ଭାବନା ରହିଛି।





