ନୂଆଦିଲ୍ଲୀ : ଭାରତ ଏବଂ ଭୁଟାନ ମଧ୍ୟରେ ସମ୍ପର୍କକୁ ଆହୁରି ଶକ୍ତିଶାଳୀ କରିବା ପାଇଁ କେନ୍ଦ୍ର ସରକାର ୪,୦୩୩ କୋଟି ଟଙ୍କା ବ୍ୟୟରେ ଦୁଇଟି ମହତ୍ତ୍ୱପୂର୍ଣ୍ଣ ରେଳ ପ୍ରକଳ୍ପକୁ ଅନୁମୋଦନ କରିଛି। ଏହି ପ୍ରକଳ୍ପଗୁଡ଼ିକ ଦୁଇ ଦେଶରେ କେବଳ ସଂଯୋଗକୁ ବୃଦ୍ଧି କରିବାରେ ସୀମିତ ନଥାଇ, ବାଣିଜ୍ୟ, ପର୍ଯ୍ୟଟନ ଓ ଲୋକମାନଙ୍କ ମଧ୍ୟରେ ଆଦାନ-ପ୍ରଦାନକୁ ମଧ୍ୟ ସୁଗମ କରିବ।
ପ୍ରଥମ ପ୍ରକଳ୍ପ ଅନୁସାରେ, ଆସାମର କୋକରାଝାରରୁ ଭୁଟାନର ଗେଲେଫୁ ପର୍ଯ୍ୟନ୍ତ ୬୯ କି.ମି. ରେଳ ଲାଇନ ନିର୍ମାଣ କରାଯିବ, ଯାହାପାଇଁ ୩,୪୫୬ କୋଟି ଟଙ୍କା ବ୍ୟୟ ହେବ। ଦ୍ୱିତୀୟ ପ୍ରକଳ୍ପରେ, ପଶ୍ଚିମବଙ୍ଗର ବନରହାଟରୁ ଭୁଟାନର ସାମତ୍ସେ ପର୍ଯ୍ୟନ୍ତ ୨୦ କି.ମି. ଲମ୍ବା ଲାଇନ୍ ନିର୍ମାଣ ହେବ, ଯାହା ପାଇଁ ୫୭୭ କୋଟି ଟଙ୍କା ଖର୍ଚ୍ଚ ହେବ।
ଏହି ପ୍ରକଳ୍ପ ସମ୍ପୂର୍ଣ୍ଣ ଦ୍ୱିପାକ୍ଷିକ ଚୁକ୍ତି (MoU) ଆଧାରରେ ହେଉଥିବାକୁ ବୈଦେଶିକ ସଚିବ ବିକ୍ରମ ମିଶ୍ରୀ ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି, “ଏଥିରେ କୌଣସି ତୃତୀୟ ଦେଶର ହସ୍ତକ୍ଷେପ ନଥିବା ସହ, ଏହା ପୁରାପୁରି ଭାରତ-ଭୁଟାନ ସହଯୋଗର ଉଦ୍ୟମ।”