ନୂଆଦିଲ୍ଲୀ, ୯ ସେପ୍ଟେମ୍ବର: ନେପାଳରେ ଚାଲିଥିବା ରାଜନୈତିକ ଅଶାନ୍ତି ଓ Gen-Z ବିପ୍ଳବ ମଧ୍ୟରେ ଭାରତୀୟ ସମ୍ବିଧାନର ଶକ୍ତିକୁ ସ୍ମରଣ କରାଇଛନ୍ତି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ବି.ଆର. ଗଭାଇ।

“ଆମେ ଆମ ସମ୍ବିଧାନ ପାଇଁ ଗର୍ବିତ। ପଡ଼ୋଶୀ ଦେଶରେ କ’ଣ ଘଟୁଛି ସେଥିପାଇଁ ସମସ୍ତେ ଦେଖୁଛନ୍ତି,” ବୋଲି କହିଥିଲେ CJI। ଏଥିରେ ଜଷ୍ଟିସ୍ ବିକ୍ରମ ନାଥ ମଧ୍ୟ “ବାଂଲାଦେଶରେ ମଧ୍ୟ ସେହିପରି” ବୋଲି ମତ ଦେଇଥିଲେ।

ସୁପ୍ରିମକୋର୍ଟର ଶୁଣାଣି ସମୟରେ ମତ

ବିଧାନସଭାରେ ପାସ୍‌ ହୋଇଥିବା ବିଲଗୁଡ଼ିକୁ ରାଜ୍ୟପାଳ ଏବଂ ରାଷ୍ଟ୍ରପତି କେତେ ସମୟରେ ସମାଧାନ କରିବେ, ସେନେଇ ହେଉଥିବା ଶୁଣାଣି ସମୟରେ CJI ଏହି ମତ ପ୍ରକାଶ କରିଥିଲେ।

ସଲିସିଟର ଜେନେରାଲଙ୍କ ଉଲ୍ଲେଖ

ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଥିଲେ, ଭାରତର ସମ୍ବିଧାନର ଶକ୍ତିକୁ ସବୁଠାରୁ ଭଲଭାବେ ଇନ୍ଦିରା ଗାନ୍ଧୀଙ୍କ ଜରୁରୀକାଳୀନ ପରିସ୍ଥିତି ପରେ ପ୍ରମାଣ କରିଥିଲା। ସେହି ସମୟରେ ଜନତାଙ୍କ ରାୟରେ କେବଳ କଂଗ୍ରେସ ଶକ୍ତି ହରାଇନଥିଲା, ବରଂ ଇନ୍ଦିରା ଗାନ୍ଧୀ ମଧ୍ୟ ନିଜ ଆସନ ହାରିଥିଲେ। “ଏହା ଆମ ସମ୍ବିଧାନର ଅସାଧାରଣ ଶକ୍ତି,” ବୋଲି ସେ କହିଥିଲେ।

ନେପାଳରେ ଆଶାନ୍ତି

ନେପାଳରେ ସୋମବାରରୁ ଆରମ୍ଭ ହୋଇଥିବା Gen-Z ବିପ୍ଳବ ଏବେବି ଶାନ୍ତ ହୋଇନାହିଁ। ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କ ଇସ୍ତଫା ପରେ ପରିସ୍ଥିତି ଆହୁରି ତୀବ୍ର ହୋଇଛି। ପ୍ରଦର୍ଶନକାରୀମାନେ ସଂସଦ ଭବନ, ସରକାରୀ ବାସଭବନ ଜାଳିଦେବା ସହ ପୂର୍ବତନ ପ୍ରଧାନମନ୍ତ୍ରୀ ଝଲନାଥ ଖାନଲଙ୍କ ଘରକୁ ଆକ୍ରମଣ କରିଥିଲେ। ଏହି ଆଗୁନରେ ଖାନଲଙ୍କ ପତ୍ନୀ ରାଜ୍ୟଲକ୍ଷ୍ମୀ ଚିତ୍ରକରଙ୍କ ମୃତ୍ୟୁ ହୋଇଥିଲା।

ସୋସିଆଲ ମିଡିଆ ଉପରେ ପ୍ରତିବନ୍ଧକ

ନେପାଳ ସରକାର ଫେସବୁକ, ହ୍ୱାଟସଆପ, ଇନଷ୍ଟାଗ୍ରାମ, ୟୁଟ୍ୟୁବ, ଟ୍ୱିଟର ସହିତ ଅନେକ ପ୍ରମୁଖ ପ୍ଲାଟଫର୍ମ ଉପରେ ପ୍ରତିବନ୍ଧକ ଲଗାଇଛି। ଏହି ପଦକ୍ଷେପ ପରେ ବିରୋଧ ପ୍ରଦର୍ଶନ ଆହୁରି ତୀବ୍ର ହୋଇଥିଲା।