ନୂଆଦିଲ୍ଲୀ/ୱାଶିଂଟନ/କାବୁଲ, ୭ ଅକ୍ଟୋବର: ଆମେରିକାର ଆଫଗାନ ନୀତି ପୁଣିଥରେ ଅନ୍ତର୍ଜାତୀୟ ମଞ୍ଚରେ ବିତର୍କ ସୃଷ୍ଟି କରିଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ପ୍ରଶାସନ ଆଫଗାନିସ୍ତାନରେ ସାମରିକ ଉପସ୍ଥିତି ବୃଦ୍ଧି କରିବା ଏବଂ ବାଗ୍ରାମ ବାୟୁସେନା ଘାଟିକୁ ପୁନଃ ଆମେରିକାର ନିୟନ୍ତ୍ରଣରେ ଆଣିବା ପାଇଁ ତାଲିବାନ ସରକାର ଉପରେ ଚାପ ପକାଇବା ଉଦ୍ୟମ କରୁଛି।

ତଥାପି, ଭାରତ, ରୁଷିଆ, ଚୀନ୍, ଇରାନ ଓ ମଧ୍ୟ ଏସୀୟ ଦେଶଗୁଡ଼ିକ ଏହି ଯୋଜନାକୁ ଦୃଢ଼ ଭାବରେ ବିରୋଧ କରିଛନ୍ତି। ମସ୍କୋ ଫୋରମ୍ ବୈଠକରେ ଏହି ଦେଶମାନେ ସ୍ପଷ୍ଟ କରିଛନ୍ତି ଯେ, ଆଫଗାନ ମାଟି କୌଣସି ବିଦେଶୀ ଶକ୍ତିଙ୍କ ସାମରିକ ଘାଟି ଭାବରେ ବ୍ୟବହୃତ ହେବ ନାହିଁ।

ସେହି ବୈଠକରେ ପ୍ରଥମ ଥର ପାଇଁ ତାଲିବାନ ସରକାରଙ୍କ ବୈଦେଶିକ ମନ୍ତ୍ରୀ ଆମିର ଖାନ ମୁତାକି ଯୋଗ ଦେଇଥିଲେ। ସମସ୍ତ ଦେଶ ଏକ ସ୍ୱରରେ ଆଫଗାନିସ୍ତାନ ଓ ଏହାର ପଡ଼ୋଶୀ ଦେଶଗୁଡ଼ିକରେ ବିଦେଶୀ ସାମରିକ ଭିତ୍ତିଭୂମି ସ୍ଥାପନକୁ ବିରୋଧ କରିଥିଲେ। ସେମାନେ ମତ ଦେଇଥିଲେ ଯେ ଏହିପରି ଉପସ୍ଥିତି ଆଞ୍ଚଳିକ ଶାନ୍ତି ଓ ସ୍ଥିରତା ପାଇଁ ବିପଦଜନକ।

ଭାରତ ପକ୍ଷରୁ ରାଷ୍ଟ୍ରଦୂତ ବିନୟ କୁମାର ଏହି ବୈଠକରେ ଅଂଶଗ୍ରହଣ କରିଥିଲେ। ସେ କହିଥିଲେ, ଭାରତ ଏକ ସ୍ୱାଧୀନ, ସ୍ଥିର ଓ ଶାନ୍ତିପୂର୍ଣ୍ଣ ଆଫଗାନିସ୍ତାନକୁ ସମର୍ଥନ କରେ ଯାହା ଆଫଗାନ ଲୋକଙ୍କ ସାମାଜିକ ଓ ଆର୍ଥିକ ଉନ୍ନତିରେ ସହାୟକ ହେବ। ସେ ଏହା ମଧ୍ୟ ଉଲ୍ଲେଖ କରିଥିଲେ ଯେ ଏକ ସୁସ୍ଥିର ଆଫଗାନିସ୍ତାନ କେବଳ ସେଠାର ଲୋକମାନଙ୍କ ପାଇଁ ନୁହେଁ, ବରଂ ସମଗ୍ର ଆଞ୍ଚଳିକ ଓ ବିଶ୍ୱ ସୁରକ୍ଷା ପାଇଁ ମଧ୍ୟ ଆବଶ୍ୟକ।

ବିଶ୍ଳେଷକମାନଙ୍କ ମତାନୁସାରେ, ଭାରତର ଏହି ମତାଭିମତ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ୍‌ଙ୍କ “ସାମରିକ ବିସ୍ତାର ନୀତି” ବିରୁଦ୍ଧରେ ଏକ ସନ୍ତୁଳିତ ଓ ସ୍ପଷ୍ଟ କୂଟନୈତିକ ବାର୍ତ୍ତା ଭାବରେ ଦେଖାଯାଉଛି।

ରୁଷିଆର ବୈଦେଶିକ ମନ୍ତ୍ରୀ ସେରଗେ ଲାଭରୋଭ କହିଛନ୍ତି, ବିଶ୍ୱ ପରିସ୍ଥିତି ଯଦିଓ ଜଟିଳ, ଆଫଗାନ ସରକାର ଶାନ୍ତି ଏବଂ ସ୍ଥିରତା ପାଇଁ ଗମ୍ଭୀର ପ୍ରୟାସ କରୁଛି। ସେ ଏହା ମଧ୍ୟ ଉଲ୍ଲେଖ କରିଛନ୍ତି ଯେ, ଜାତିସଂଘ ରିପୋର୍ଟ ଅନୁଯାୟୀ ଆଫଗାନିସ୍ତାନରେ ନିଶା ଚାଷ ଏବେ ବହୁ ହ୍ରାସ ପାଇଛି। ଲାଭରୋଭ ଆଶ୍ୱାସନା ଦେଇଛନ୍ତି ଯେ ରୁଷିଆ ଆତଙ୍କବାଦ, ନିଶା କାରବାର ଓ ସଂଗଠିତ ଅପରାଧ ବିରୋଧରେ ଆଫଗାନିସ୍ତାନକୁ ସମସ୍ତ ସମ୍ଭବ ସହଯୋଗ ଯୋଗାଇବ।

ସେ ଆଞ୍ଚଳିକ ଏକତା ଓ ବିକାଶ ଉପରେ ଗୁରୁତ୍ୱାରୋପ କରି କହିଛନ୍ତି ଯେ ରୁଷିଆ, ଚୀନ୍ ଓ ଭାରତ ଭଳି ଦେଶମାନେ ବିଶ୍ୱାସ କରନ୍ତି ଯେ, ଆଫଗାନିସ୍ତାନକୁ ଆଞ୍ଚଳିକ ଅର୍ଥନୈତିକ ସଂଯୋଗରେ ଅଧିକ ସକ୍ରିୟ ଭାବେ ସମିଳିତ କରିଲେ ସେଠାରେ ସ୍ଥାୟୀ ଶାନ୍ତି ଏବଂ ବିକାଶ ନିଶ୍ଚିତ ହେବ।