ନୂଆଦିଲ୍ଲୀ/ଇସଲାମାବାଦ: ଭାରତ ଓ ୟୁରୋପୀୟ ସଂଘ (ଇୟୁ) ମଧ୍ୟରେ ସମ୍ପ୍ରତି ସ୍ୱାକ୍ଷରିତ ମୁକ୍ତ ବାଣିଜ୍ୟ ଚୁକ୍ତି (FTA) ପାକିସ୍ତାନର ରପ୍ତାନି ଓ ଚାକିରି କ୍ଷେତ୍ରରେ ବୃହତ୍ ପ୍ରଭାବ ପକାଇପାରେ ବୋଲି ସେଠାରେ ଚିନ୍ତା ବଢ଼ିଛି। ଏହି ଚୁକ୍ତି ପରେ ପାକିସ୍ତାନର ପ୍ରାୟ ୧ କୋଟି ଲୋକଙ୍କ ଜୀବିକା ସଙ୍କଟରେ ପଡ଼ିପାରେ ବୋଲି ଅନୁମାନ କରାଯାଉଛି।
ପାକିସ୍ତାନର ପୂର୍ବତନ ବାଣିଜ୍ୟ ମନ୍ତ୍ରୀ ଗୋହର ଏଜାଜ୍ ସୋସିଆଲ ମିଡିଆରେ ମତ ପ୍ରକାଶ କରି କହିଛନ୍ତି ଯେ, ୟୁରୋପୀୟ ସଂଘ ସହିତ ପାକିସ୍ତାନ ଯେଉଁ ଶୂନ-ଶୁଳ୍କ ସୁବିଧା ଦୀର୍ଘଦିନ ଧରି ଉପଭୋଗ କରୁଥିଲା, ତାହା ଏବେ ଚାପରେ ପଡ଼ିଛି। ପରିସ୍ଥିତିକୁ ମୁକାବିଲା ପାଇଁ ଶିଳ୍ପକୁ ସସ୍ତା ବିଦ୍ୟୁତ୍, କମ୍ କର ଓ ସହଜ ଋଣ ସୁବିଧା ଦେବାକୁ ସରକାରଙ୍କୁ ପଦକ୍ଷେପ ନେବାକୁ ପରାମର୍ଶ ଦିଆଯାଇଛି।
ୟୁରୋପୀୟ ବଜାର ପାକିସ୍ତାନର ସର୍ବବୃହତ୍ ରପ୍ତାନି ଗନ୍ତବ୍ୟସ୍ଥଳ। ଦୁଇ ପକ୍ଷ ମଧ୍ୟରେ ବାଣିଜ୍ୟ ପରିମାଣ ପ୍ରାୟ ୧.୧୦ ଲକ୍ଷ କୋଟି ଟଙ୍କା ଥିବା ଜଣାପଡ଼ିଛି। ଜିଏସପି ପ୍ଲସ୍ ଯୋଜନା ଅଧୀନରେ ପାକିସ୍ତାନ ପ୍ରାୟ ୬୬% ପଣ୍ୟକୁ ବିନା ଶୁଳ୍କରେ ୟୁରୋପକୁ ରପ୍ତାନି କରୁଥିଲା। ବିଶେଷକରି ବସ୍ତ୍ର ଓ ପୋଷାକ ଶିଳ୍ପ ଏହାରୁ ଅଧିକ ଲାଭାନ୍ବିତ ହୋଇଆସୁଥିଲା। ଯେଉଁଠାରେ ଭାରତୀୟ ପଣ୍ୟ ଉପରେ ୯ରୁ ୧୨ ଶତଂଶ ପର୍ଯ୍ୟନ୍ତ ଶୁଳ୍କ ଲାଗୁଥିଲା।
ଜିଏସପି ପ୍ଲସ୍ ସୁବିଧା ପାକିସ୍ତାନକୁ ୨୦୧୪ରେ ମିଳିଥିଲା ଓ ଏହାର ମেয়ାଦ ୨୦୨୭ ଡିସେମ୍ବରରେ ଶେଷ ହେବାକୁ ଥିବାରୁ ଭବିଷ୍ୟତ ନେଇ ଅଧିକ ଅନିଶ୍ଚିତତା ଦେଖାଦେଇଛି। ଯଦି ଏହି ସୁବିଧା ବୃଦ୍ଧି ନ ହୁଏ, ତେବେ ୟୁରୋପୀୟ ବଜାରରେ ପାକିସ୍ତାନର ବିଶେଷ ରପ୍ତାନି ସ୍ଥାନ ଦୃଢ଼ ଭାବେ କ୍ଷୀଣ ହେବାର ସମ୍ଭାବନା ରହିଛି।
ଅନ୍ୟପଟେ, ଭାରତ–ଇୟୁ ଚୁକ୍ତି କାର୍ଯ୍ୟକାରୀ ହେଲେ ଭାରତର ପ୍ରାୟ ୯୫% ଶ୍ରମ-ଭିତ୍ତିକ ପଣ୍ୟ ଟିକସମୁକ୍ତ ଭାବେ ୟୁରୋପୀୟ ବଜାରକୁ ପ୍ରବେଶ କରିପାରିବ। ସେଥିସହିତ ୟୁରୋପରୁ ଆସୁଥିବା କିଛି ବିଳାସପୂର୍ଣ୍ଣ ସାମଗ୍ରୀ ମଧ୍ୟ ଭାରତରେ ସସ୍ତା ହେବାର ସମ୍ଭାବନା ରହିଛି। ଏହା ଭାରତ ପାଇଁ ନୂଆ ବାଣିଜ୍ୟିକ ସୁଯୋଗ ସୃଷ୍ଟି କରିବା ସହ ପାକିସ୍ତାନ ପାଇଁ ପ୍ରତିଯୋଗିତାକୁ କଠିନ କରିଦେବ ବୋଲି ବିଶ୍ଳେଷକମାନେ ମତ ପ୍ରକାଶ କରୁଛନ୍ତି।





