ନୂଆଦିଲ୍ଲୀ: ଭାରତ ଓ ୟୁରୋପୀୟ ସଂଘ (ଇୟୁ) ମଧ୍ୟରେ ଚାଲିଥିବା ବାଣିଜ୍ୟ ଆଲୋଚନା ଏବେ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ସେହିସହିତ ଯୁକ୍ତରାଷ୍ଟ୍ର ଆମେରିକା ସହିତ ମଧ୍ୟ ଦ୍ୱିପାକ୍ଷିକ ବାଣିଜ୍ୟ ଆଲୋଚନା ଚାଲୁଥିବା କଥା କେନ୍ଦ୍ର ଶିଳ୍ପ ଓ ବାଣିଜ୍ୟ ମନ୍ତ୍ରୀ ପୀୟୂଷ ଗୋୟଲ ସୂଚନା ଦେଇଛନ୍ତି। ଗୁଜରାଟର ରାଜକୋଟରେ ଆୟୋଜିତ ଏକ ଆଞ୍ଚଳିକ ଏମ୍‌ଏସ୍‌ଏମ୍‌ଇ ସମ୍ମିଳନୀରେ ଯୋଗଦେଇ ସେ ଏହି କଥା କହିଛନ୍ତି।

ଶ୍ରୀ ଗୋୟଲ ନିକଟରେ ବ୍ରସେଲ୍ସରେ ୟୁରୋପୀୟ ସଂଘର ବାଣିଜ୍ୟ ଏବଂ ଅର୍ଥନୈତିକ ସୁରକ୍ଷା କମିଶନର ମାରୋସ୍ ସେଫକୋଭିକ୍‌ଙ୍କ ସହ ଆଲୋଚନା କରିଥିବା ଉଲ୍ଲେଖ କରିଛନ୍ତି। ଏହି ବୈଠକରେ ବିଭିନ୍ନ ମୁଦ୍ଦାରେ ଭଲ ଅଗ୍ରଗତି ହୋଇଥିବା ସହ ଅବଶିଷ୍ଟ ଅମିମାଂସିତ ବିଷୟଗୁଡ଼ିକୁ ସମାଧାନ କରିବା ପାଇଁ ଉଭୟ ପକ୍ଷ ତାଙ୍କ ନିଜନିଜ ବାଣିଜ୍ୟ ଆଲୋଚନା ଦଳକୁ ନିର୍ଦ୍ଦେଶ ଦେଇଥିବା କଥା ସେ କହିଛନ୍ତି।

ଚଳିତ ମାସ ଶେଷ ଆଡ଼କୁ ନୂଆଦିଲ୍ଲୀରେ ଭାରତ–ଇୟୁ ସମ୍ମିଳନୀ ଆୟୋଜିତ ହେବାକୁ ଯାଉଥିବାବେଳେ, ସେଥିପୂର୍ବରୁ ବାଣିଜ୍ୟ ଚୁକ୍ତିକୁ ଚୂଡ଼ାନ୍ତ ରୂପ ଦେବା ଲକ୍ଷ୍ୟ ରଖାଯାଇଛି। ସାମଗ୍ରୀ ବାଣିଜ୍ୟ କ୍ଷେତ୍ରରେ ଭାରତ ୟୁରୋପୀୟ ସଂଘର ସର୍ବବୃହତ୍ ବାଣିଜ୍ୟିକ ସହଯୋଗୀ ରହିଛି। ୨୦୨୪–୨୫ ଆର୍ଥିକ ବର୍ଷରେ ଉଭୟ ପକ୍ଷ ମଧ୍ୟରେ ଦ୍ୱିପାକ୍ଷିକ ବାଣିଜ୍ୟ ମୂଲ୍ୟ ୧୩୬ ବିଲିୟନ ଡଲାରରୁ ଅଧିକ ଥିଲା।

ଏହା ସହିତ ଭାରତ ଓ ଆମେରିକା ମଧ୍ୟରେ ପରବର୍ତ୍ତୀ ପର୍ଯ୍ୟାୟର ଦ୍ୱିପାକ୍ଷିକ ବାଣିଜ୍ୟ ଆଲୋଚନା ଆସନ୍ତାକାଲି ହେବାକୁ ଯାଉଛି। ନୂଆଦିଲ୍ଲୀରେ ଭାରତ ପାଇଁ ଆମେରିକାର ନୂତନ ରାଷ୍ଟ୍ରଦୂତ ସର୍ଜିଓ ଗୋର୍ ଦାୟିତ୍ୱ ଗ୍ରହଣ କରିବା ଅବସରରେ ଏହି ସୂଚନା ମିଳିବା ପରେ ଶ୍ରୀ ଗୋୟଲ ଏହି ମନ୍ତବ୍ୟ ରଖିଥିଲେ।