ନୂଆଦିଲ୍ଲୀ, 23 ଅଗଷ୍ଟ: ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ଭାରତ–ପାକିସ୍ତାନ ସମ୍ପର୍କରେ ତିବ୍ର ଉତ୍ତେଜନା ସୃଷ୍ଟି ହୋଇଥିବା ସତ୍ତ୍ୱେ ଭାରତ ମାନବିକତାର ପରିଚୟ ଦେଇଛି। ଭାରତୀୟ ଉଚ୍ଚାୟୋଗ ଇସଲାମାବାଦକୁ ସୂଚନା ଦେଇଛି ଯେ, ଜମ୍ମୁର ତାୱି ନଦୀରେ ବଡ଼ ବନ୍ୟାର ସମ୍ଭାବନା ରହିଛି, ଯାହା ପାକିସ୍ତାନରେ ମଧ୍ୟ ଭୟାବହ ପ୍ରଭାବ ପକାଇପାରେ।

ସିନ୍ଧୁ ନଦୀ ଅବବାହିକାରେ ଥିବା କିଛି ପ୍ରମୁଖ ନଦୀ ଦୁଇ ଦେଶ ଦେଇ ପ୍ରବାହିତ ହୁଏ। ତେଣୁ ଏହି ସତର୍କତା ପାକିସ୍ତାନକୁ ପହଞ୍ଚିଲା ପରେ ସେଥିର ପ୍ରଶାସନ ମଧ୍ୟ ନାଗରିକଙ୍କ ପାଇଁ ବିଶେଷ ସଚେତନତା ଜାରି କରିଛି।

ଏହି ଘଟଣାକୁ ଭାରତର ମାନବିକ ଦୃଷ୍ଟିକୋଣର ପ୍ରତିକ୍‌ ବୋଲି ଦେଖାଯାଉଛି। କାରଣ, ପହଲଗାମ ଆକ୍ରମଣ ପରେ ‘ଅପରେସନ ସିନ୍ଦୂର’ ମାଧ୍ୟମରେ ପାକିସ୍ତାନରେ ଥିବା ଆତଙ୍କୀ ଆଡ୍ଡାଗୁଡ଼ିକୁ ଧ୍ୱଂସ କରିଥିଲା ଭାରତ। ସେହି ସମୟରୁ ସିନ୍ଧୁ ଜଳ ଚୁକ୍ତିକୁ ମଧ୍ୟ ଅସ୍ଥାୟୀ ଭାବରେ ସ୍ଥଗିତ କରିଦେଇଥିଲା।

ଭାରତ ସ୍ପଷ୍ଟ କରିଛି ଯେ, ପାକିସ୍ତାନ ଯେପର୍ଯ୍ୟନ୍ତ ସୀମାପାର ଆତଙ୍କବାଦକୁ ରୋକିବା ପାଇଁ ଦୃଢ଼ ପଦକ୍ଷେପ ନିଅନ୍ତି, ସେପର୍ଯ୍ୟନ୍ତ ସିନ୍ଧୁ ଜଳ ଚୁକ୍ତି ପୁଣିଥରେ ଚାଲୁ ହେବ ନାହିଁ। ପାକିସ୍ତାନ ଏହାକୁ ଅନ୍ତର୍ଜାତୀୟ ଅଦାଲତକୁ ନେଇଥିଲେ, କିନ୍ତୁ ଭାରତ ଏହାକୁ କେବଳ ଦ୍ୱିପାକ୍ଷିକ ଆଲୋଚନାର ବିଷୟ ବୋଲି ସ୍ପଷ୍ଟ କରିଦେଇଛି।