ନୂଆଦିଲ୍ଲୀ: ଭାରତରେ ସୁନା ପ୍ରତି ଲୋକମାନଙ୍କ, ବିଶେଷକରି ଗୃହିଣୀମାନଙ୍କ ଆକର୍ଷଣ ଦୀର୍ଘଦିନର ପାରମ୍ପରିକତା। ଛୋଟ ଅଳଙ୍କାର ହେଉ କି ବଡ଼ ଗହଣା, ସୁଯୋଗ ମିଳିଲେ ସୁନା କିଣିବା ରୁଚି ଦେଶର ପରିବାରମାନଙ୍କ ମଧ୍ୟରେ ଦେଖାଯାଏ। ଏହି ପ୍ରବୃତ୍ତିର ପରିଣାମରେ ଭାରତୀୟ ପରିବାରଗୁଡ଼ିକ ପାଖରେ ଏବେ ୩୦ ହଜାର ଟନ୍‌ରୁ ଅଧିକ ସୁନା ସଞ୍ଚିତ ରହିଥିବା ଆକଳନ କରାଯାଇଛି।

ବିଭିନ୍ନ ଆର୍ଥିକ ସଂସ୍ଥାଙ୍କ ଆନୁମାନିକ ତଥ୍ୟ ଅନୁସାରେ, ଗୃହସ୍ଥମାନଙ୍କ ନିକଟରେ ରହିଥିବା ସୁନାର ମୋଟ ମୂଲ୍ୟ ପ୍ରାୟ ୫ ଟ୍ରିଲିୟନ୍‌ ଡଲାରକୁ ଛୁଇଁଛି। ଏହା ଭାରତର ମୋଟ ଘରୋଇ ଉତ୍ପାଦ (ଜିଡିପି) ପରିମାଣକୁ ମଧ୍ୟ ଅତିକ୍ରମ କରିଥିବା କୁହାଯାଉଛି। ଆଇଏମଏଫ୍‌ ତଥ୍ୟ ଅନୁଯାୟୀ ଭାରତର ଜିଡିପି ପ୍ରାୟ ୪.୧ ଟ୍ରିଲିୟନ୍‌ ଡଲାର ଆସପାସରେ ଅଛି।

ଗତବର୍ଷ ଅକ୍ଟୋବରରେ ମର୍ଗାନ୍‌ ଷ୍ଟାନ୍‌ଲି ଏକ ରିପୋର୍ଟରେ ଭାରତୀୟ ପରିବାରମାନଙ୍କ ପାଖରେ ପ୍ରାୟ ୩୪,୬୦୦ ଟନ୍‌ ସୁନା ରହିଥିବା ଆନୁମାନ କରିଥିଲା। ବିଶ୍ୱର ଅନ୍ୟ କୌଣସି ଦେଶର ଲୋକମାନଙ୍କ ପାଖରେ ଏତେ ପରିମାଣର ସୁନା ନଥିବା ମଧ୍ୟ ଉଲ୍ଲେଖ ହୋଇଛି। ସମ୍ପ୍ରତି ସୁନା ଦରର ଲଗାତାର ବୃଦ୍ଧି ଯୋଗୁ ଏହାର ମୋଟ ମୂଲ୍ୟ ଆହୁରି ବଢ଼ିଛି। ୨୦୨୫ରେ ସୁନା ଦରରେ ପ୍ରାୟ ୬୫ ପ୍ରତିଶତ ବୃଦ୍ଧି ହୋଇଥିବାବେଳେ ୨୦୨୬ରେ ମଧ୍ୟ ଏହି ଧାରା ଚାଲୁ ରହିଛି।

ଏପଟେ ଭାରତୀୟ ରିଜର୍ଭ ବ୍ୟାଙ୍କ ମଧ୍ୟ ନିଜ ଭଣ୍ଡାର ପାଇଁ ବଡ଼ ପରିମାଣରେ ସୁନା କ୍ରୟ କରୁଛି। ବର୍ତ୍ତମାନ ଆର୍‌ବିଆଇ ପାଖରେ ପ୍ରାୟ ୮୮୦ ଟନ୍‌ ସୁନା ମଜୁତ ରହିଛି। ଗତ ଦଶବର୍ଷରେ ଏହି ପରିମାଣ ପ୍ରାୟ ୫୮ ପ୍ରତିଶତ ବୃଦ୍ଧି ପାଇଛି। ପୂର୍ବରୁ ବୈଦେଶିକ ମୁଦ୍ରା ଭଣ୍ଡାରରେ ସୁନାର ଅଂଶ ୬–୭ ପ୍ରତିଶତ ଥିଲେ, ଏବେ ଏହା ୧୭ ପ୍ରତିଶତ ପର୍ଯ୍ୟନ୍ତ ବଢ଼ିଛି।

ବିଶ୍ୱ ସୁନା ପରିଷଦର ତଥ୍ୟ ଅନୁସାରେ, ସର୍ବାଧିକ ସୁନା ଭଣ୍ଡାର ଆମେରିକା ପାଖରେ ରହିଛି—ଯାହା ୮,୦୦୦ ଟନ୍‌ରୁ ଅଧିକ। ତାହା ପଛରେ ଜର୍ମାନୀ, ଇଟାଲୀ, ଫ୍ରାନ୍ସ, ରୁଷ, ଚୀନ, ସ୍ୱିଜରଲ୍ୟାଣ୍ଡ, ଭାରତ, ଜାପାନ ଓ ନେଦରଲ୍ୟାଣ୍ଡସ୍‌ ଅଛନ୍ତି।

କମୋଡିଟି ବିଶେଷଜ୍ଞମାନଙ୍କ ମତାନୁସାରେ, ସରକାରୀ ବଣ୍ଡ୍‌ରେ ଆକର୍ଷଣ କମିବା, ବିଶ୍ୱ ଅର୍ଥନୀତିର ଅନିଶ୍ଚିତତା, କେତେକ ଦେଶରେ ଉଚ୍ଚ ମୁଦ୍ରାସ୍ଫୀତି, ଦୁର୍ବଳ ଡଲାର ଓ ଜିଓ-ପଲିଟିକାଲ୍‌ ପରିସ୍ଥିତି ସୁନା ଦର ବୃଦ୍ଧିର ପ୍ରମୁଖ କାରଣ। ଆଗାମୀ ଦିନରେ ବିଶ୍ୱ ବାଣିଜ୍ୟ ଓ ଅର୍ଥନୀତିରେ ସୁନାର ଭୂମିକା ଆହୁରି ମଜବୁତ ହେବ ବୋଲି ଅନୁମାନ କରାଯାଉଛି।