ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଯୁଦ୍ଧ ପରିସ୍ଥିତି ଓ ସୁରକ୍ଷା ଉତ୍ତେଜନାକୁ ନଜରରେ ରଖି ଭାରତ ସରକାର ଇସ୍ରାଏଲରେ ବସବାସ କରୁଥିବା ନିଜ ନାଗରିକଙ୍କ ପାଇଁ ଜରୁରୀ ସତର୍କ ସୂଚନା ଜାରି କରିଛନ୍ତି। ପରିବର୍ତ୍ତିତ ସୁରକ୍ଷା ପରିସ୍ଥିତି ପ୍ରତି ସମସ୍ତ ଭାରତୀୟଙ୍କୁ ଅତ୍ୟନ୍ତ ସଚେତନ ରହିବା ସହ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶାବଳୀ କଠୋର ଭାବେ ପାଳନ କରିବାକୁ କୁହାଯାଇଛି।
ଇସ୍ରାଏଲ ଓ ଆମେରିକା ପକ୍ଷରୁ ଇରାନର କିଛି ଲକ୍ଷ୍ୟସ୍ଥଳ ଉପରେ ଆକ୍ରମଣ ହୋଇଥିବା ଦାବି ପରେ ଅଞ୍ଚଳରେ ଆଞ୍ଚଳିକ ସଂଘର୍ଷ ତୀବ୍ର ହେବାର ଆଶଙ୍କା ବଢ଼ିଛି। ଏହି ପରିପ୍ରେକ୍ଷୀରେ ତେଲ୍ ଅଭିଭରେ ଅବସ୍ଥିତ ଭାରତୀୟ ଦୂତାବାସ ଏକ ସ୍ୱତନ୍ତ୍ର ସୁରକ୍ଷା ଆଡଭାଇଜରୀ ଜାରି କରି ନାଗରିକମାନଙ୍କୁ ଭୟଭୀତ ନ ହୋଇ ସତର୍କତା ଓ ସଚେତନତା ସହ ବ୍ୟବହାର କରିବାକୁ ପରାମର୍ଶ ଦେଇଛି।
ଆଡଭାଇଜରୀ ଅନୁଯାୟୀ, ଇସ୍ରାଏଲରେ ରହୁଥିବା ଭାରତୀୟମାନଙ୍କୁ ନିଜ ବାସସ୍ଥାନ କିମ୍ବା କାର୍ଯ୍ୟସ୍ଥଳ ନିକଟରେ ଥିବା ସୁରକ୍ଷା ଆଶ୍ରୟସ୍ଥଳ ଓ ବଙ୍କର ସମ୍ପର୍କରେ ପୂର୍ବରୁ ସଚେତନ ରହିବାକୁ କୁହାଯାଇଛି। ସମ୍ଭାବ୍ୟ ବିମାନ ଆକ୍ରମଣ କିମ୍ବା ଜରୁରୀ ପରିସ୍ଥିତି ସମୟରେ ଜୀବନ ଓ ସମ୍ପତ୍ତିର କ୍ଷତି କମାଇବା ପାଇଁ ଏହାକୁ ଅତ୍ୟାବଶ୍ୟକ ସୁରକ୍ଷା ପଦକ୍ଷେପ ବୋଲି ମନାଯାଇଛି।
ଦୂତାବାସ ପକ୍ଷରୁ ଅନାବଶ୍ୟକ ଯାତ୍ରା ଏଡାଇବା, ଭିଡ଼ଭାଡ଼ ଅଞ୍ଚଳରୁ ଦୂରେ ରହିବା ଏବଂ ପରବର୍ତ୍ତୀ ସୂଚନା ପର୍ଯ୍ୟନ୍ତ ସମ୍ଭବ ହେଲେ ଘରେ ରହିବାକୁ ମଧ୍ୟ ଅନୁରୋଧ କରାଯାଇଛି। ନାଗରିକମାନଙ୍କୁ ସ୍ଥାନୀୟ ଖବର, ସରକାରୀ ଘୋଷଣା ଓ ଜରୁରୀ ସତର୍କ ସୂଚନା ଉପରେ ନିୟମିତ ନଜର ରଖିବାକୁ କୁହାଯାଇଛି।
ସହାୟତା ଆବଶ୍ୟକ ହେଲେ ଭାରତୀୟ ମିଶନ୍ ପକ୍ଷରୁ ୨୪ ଘଣ୍ଟିଆ ଜରୁରୀକାଳୀନ ହେଲ୍ପଲାଇନ୍ ସକ୍ରିୟ କରାଯାଇଛି। ଭାରତୀୟ ଦୂତାବାସ ପରିସ୍ଥିତି ଉପରେ ନିରନ୍ତର ନଜର ରଖିବା ସହ ଇସ୍ରାଏଲୀ ସୁରକ୍ଷା ଏଜେନ୍ସିମାନଙ୍କ ସହ ସମନ୍ୱୟ ରଖିଛି। ଯୁଦ୍ଧସଦୃଶ ପରିସ୍ଥିତି ମଧ୍ୟରେ ବିଦେଶରେ ଥିବା ପ୍ରତ୍ୟେକ ଭାରତୀୟଙ୍କ ସୁରକ୍ଷା ସରକାରଙ୍କ ପ୍ରାଥମିକତା ବୋଲି ସୂଚନା ମିଳିଛି।





