ବାରାଣସୀ,୧୧।୧୨: ସ୍ବଦେଶୀ ପ୍ରଯୁକ୍ତିରେ ନିର୍ମିତ ଭାରତର ପ୍ରଥମ ହାଇଡ୍ରୋଜେନ୍‌ ଇନ୍ଧନ-ସେଲ୍‌ ଚାଳିତ ଜାହାଜ ଏବେ ଚଳାଚଳ ଆରମ୍ଭ କରିଛି। କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଓ ଜଳମାର୍ଗ ମନ୍ତ୍ରୀ ସର୍ବାନନ୍ଦ ସୋନୋଓ୍ବାଲ ଗୁରୁବାର ଏହାର ବ୍ୟବସାୟିକ ଚଳାଚଳକୁ ଶୁଭାରମ୍ଭ କରିଛନ୍ତି।

ଏହା ସ୍ବଚ୍ଛ ଏବଂ ସ୍ଥାୟୀ ଅନ୍ତର୍ଦେଶୀୟ ଜଳପରିବହନ ବ୍ୟବସ୍ଥା ପ୍ରତି ଭାରତର ଏକ ମହତ୍ୱପୂର୍ଣ୍ଣ ପଦକ୍ଷେପ। ହାଇଡ୍ରୋଜେନ୍‌ ଚାଳିତ ଏହି ଜାହାଜ ଭାରତର ବର୍ଦ୍ଧିତ ବୈଷୟିକ କ୍ଷମତା ଓ ସ୍ଥାୟୀ ଉର୍ଜାପ୍ରତି ପ୍ରତିବଦ୍ଧତାକୁ ପ୍ରତିଫଳିତ କରେ।

ମନ୍ତ୍ରୀ ସୋନୋଓ୍ବାଲ କହିଛନ୍ତି, ଏହା କେବଳ ପ୍ରଯୁକ୍ତିଗତ ସଫଳତା ନୁହେଁ; ସ୍ବଦେଶୀ ନବାଚାର ଏବଂ ସ୍ବଚ୍ଛ ଇନ୍ଧନରେ ଭାରତ ଆତ୍ମବିଶ୍ୱାସ ସହ ଅଗ୍ରଗତି କରୁଛି। ଏହି ଉପଲବ୍ଧି ସହିତ ଭାରତ, ହାଇଡ୍ରୋଜେନ୍‌ଚାଳିତ ଜାହାଜ ଚଳାଇଥିବା ଭୁବନବ୍ୟାପୀ ଅଳ୍ପସଂଖ୍ୟକ ଦେଶ—ଚାଇନା, ନରଓ୍ବେ, ନେଦରଲାଣ୍ଡସ୍‌ ଓ ଜାପାନ—ତାଲିକାରେ ସାମିଲ ହୋଇଛି।