କଳ୍ପକମ୍: ଆଣବିକ ଶକ୍ତି କ୍ଷେତ୍ରରେ ଭାରତ ଏକ ଐତିହାସିକ ସଫଳତା ହାସଲ କରିଛି। ତାମିଲନାଡୁର କଳ୍ପକମ୍ରେ ସ୍ଥିତ ୫୦୦ ମେଗାୱାଟ୍ ପ୍ରୋଟୋଟାଇପ୍ ଫାଷ୍ଟ ବ୍ରିଡର୍ ରିଆକ୍ଟର (PFBR) ଏପ୍ରିଲ ୬ରେ ‘ପ୍ରଥମ କ୍ରିଟିକାଲିଟି’ ହାସଲ କରିଛି। ଏହାର ଅର୍ଥ, ରିଆକ୍ଟର ପ୍ରଥମଥର ପାଇଁ ସ୍ୱୟଂସ୍ଥାୟୀ ଆଣବିକ ଶୃଙ୍ଖଳା ପ୍ରତିକ୍ରିୟା ଆରମ୍ଭ କରିଛି।
ଏହି ସଫଳତା ସହିତ ଭାରତ ଏମିତି ଏକ ପ୍ରଯୁକ୍ତିରେ ପଦାର୍ପଣ କରିଛି, ଯାହାକୁ ଆମେରିକା ଓ ଫ୍ରାନ୍ସ ଭଳି ବିକଶିତ ଦେଶମାନେ ଏପର୍ଯ୍ୟନ୍ତ ବାଣିଜ୍ୟିକ ସ୍ତରରେ ସଫଳତାର ସହ କାର୍ଯ୍ୟକ୍ଷମ କରିପାରିନାହାନ୍ତି। ବର୍ତ୍ତମାନ ଏହି ପ୍ରଯୁକ୍ତିରେ କେବଳ ରୁଷ୍ ଆଗରେ ରହିଛି ଏବଂ ପୂର୍ଣ୍ଣ ରୂପେ କାର୍ଯ୍ୟକ୍ଷମ ହେଲେ ଭାରତ ବିଶ୍ୱର ଦ୍ୱିତୀୟ ଦେଶ ହେବ।
ଏହି ରିଆକ୍ଟରର ବିଶେଷତା ହେଉଛି, ଏହା ଯେତେ ଇନ୍ଧନ ବ୍ୟବହାର କରେ, ତାହାଠାରୁ ଅଧିକ ଇନ୍ଧନ ଉତ୍ପାଦନ କରିପାରେ। ପ୍ରଥମେ ୟୁରାନିୟମ୍ ଭିତ୍ତିକ ଇନ୍ଧନରେ ଚାଲୁଥିବା ଏହି ବ୍ୟବସ୍ଥା ପରବର୍ତ୍ତୀରେ ଥୋରିୟମ୍ ଆଧାରିତ ଇନ୍ଧନକୁ ମଧ୍ୟ ବ୍ୟବହାର କରିପାରିବ। ଭାରତରେ ଥୋରିୟମ୍ର ପ୍ରଚୁର ଭଣ୍ଡାର ଥିବାରୁ ଏହା ଦେଶକୁ ଦୀର୍ଘମିଆଦିନ ପାଇଁ ଶକ୍ତି ଆତ୍ମନିର୍ଭରତା ଦିଗରେ ନେଇଯିବ।
ବିଶେଷଜ୍ଞମାନଙ୍କ କହିବା ଅନୁଯାୟୀ, ଏହି ପ୍ରକଳ୍ପ ଭାରତର ତିନି-ପର୍ଯ୍ୟାୟ ଆଣବିକ କାର୍ଯ୍ୟକ୍ରମର ମୁଖ୍ୟ ଅଂଶ। ଏହା ଦ୍ୱାରା ୟୁରାନିୟମ୍ ଆମଦାନି ଉପରେ ନିର୍ଭରଶୀଳତା କମିବା ସହିତ ଥୋରିୟମ୍ ବ୍ୟବହାରରେ ନୂଆ ଦିଗ ଖୋଲିବ।
ପ୍ରଧାନମନ୍ତ୍ରୀ Narendra Modi ଏହି ସଫଳତାକୁ ଭାରତର ବେସାମରିକ ଆଣବିକ ଯାତ୍ରାରେ ଏକ ନିର୍ଣ୍ଣାୟକ ମାଇଲସ୍ଟୋନ୍ ବୋଲି କହିଛନ୍ତି। ସେ କହିଛନ୍ତି, ଏହା ଦେଶର ବୈଜ୍ଞାନିକ ଓ ପ୍ରାବିଧିକ କ୍ଷମତାକୁ ପ୍ରମାଣ କରୁଛି।
ବର୍ତ୍ତମାନ ଭାରତ ପ୍ରାୟ ୮ ଗିଗାୱାଟ୍ ଆଣବିକ ଶକ୍ତି ଉତ୍ପାଦନ କରୁଛି। ସରକାରଙ୍କ ଲକ୍ଷ୍ୟ ଅନୁଯାୟୀ ୨୦୪୭ ସୁଦ୍ଧା ଏହାକୁ ୧୦୦ ଗିଗାୱାଟ୍ରେ ପହଞ୍ଚାଇବା ଯୋଜନା ରହିଛି। PFBR ପ୍ରକଳ୍ପ ଏହି ଲକ୍ଷ୍ୟ ପାଇଁ ଏକ ମୂଲ୍ୟବାନ ପଦକ୍ଷେପ ଭାବେ ଦେଖାଯାଉଛି।





