ୱାଶିଂଟନ: ଭାରତ ଏବଂ ପାକିସ୍ତାନଙ୍କ ମଧ୍ୟରେ ବଢ଼ୁଥିବା ସାମରିକ ଉତ୍ତେଜନାକୁ ନେଇ ଆମେରିକା ଗଭୀର ଚିନ୍ତା ପ୍ରକାଶ କରିଛି। ଆମେରିକୀୟ ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ କହିଛନ୍ତି, ଉଭୟ ଦେଶ ମଧ୍ୟରେ ଚାଲୁଥିବା ଅସ୍ତ୍ରବିରତି ଯେକୌଣସି ସମୟରେ ଭାଙ୍ଗିପାରେ।
ସେ କହିଛନ୍ତି, “ଅସ୍ତ୍ରବିରତି ସେତେବେଳେ ସମ୍ଭବ ଯେତେବେଳେ ଉଭୟ ପକ୍ଷ ପାରସ୍ପରିକ ସହମତିରେ ଗୁଳିଚାଳନା ବନ୍ଦ କରନ୍ତି। ବର୍ତ୍ତମାନର ପରିସ୍ଥିତିରେ ଏହାକୁ ରକ୍ଷା କରିବା ଆହ୍ବାନପୂର୍ଣ୍ଣ ହୋଇପାରେ।”
ରୁବିଓ ଆହୁରି କହିଛନ୍ତି, ବର୍ତ୍ତମାନ କୌଣସି ସ୍ଥାୟୀ ଅସ୍ତ୍ରବିରତି ପାଇଁ ପ୍ରୟାସ ହେଉନାହିଁ, କିନ୍ତୁ ପ୍ରକୃତ ଲକ୍ଷ୍ୟ ହେଉଛି ଏକ ଶାନ୍ତି ଚୁକ୍ତିରେ ପହଞ୍ଚିବା, ଯାହା ଭବିଷ୍ୟତରେ ଯୁଦ୍ଧର ସମ୍ଭାବନାକୁ ସମାପ୍ତ କରିଦେବ।
ସାମ୍ପ୍ରତିକ ଭାରତ-ପାକିସ୍ତାନ ସଂଘର୍ଷ ସମ୍ପର୍କରେ କହିଥିବା ବେଳେ, ସେ ଉଲ୍ଲେଖ କରିଛନ୍ତି ଯେ, ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଏହାକୁ ନିୟନ୍ତ୍ରଣ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଛନ୍ତି। ଟ୍ରମ୍ପ୍ ପୂର୍ବରୁ ପ୍ରାୟ ୪୦ଥର କହିଛନ୍ତି ଯେ, ଭାରତ-ପାକିସ୍ତାନ ଅସ୍ତ୍ରବିରତି ତାଙ୍କ ମଧ୍ୟସ୍ଥତାର ଫଳ।
ସେହିପରି, ଟ୍ରମ୍ପ୍ କହିଥିଲେ ଯେ, ମେ ୧୦ ତାରିଖରେ ଆମେରିକାର ମଧ୍ୟସ୍ଥତାରେ ଅସ୍ତ୍ରବିରତି କାର୍ଯ୍ୟକାରୀ ହୋଇଥିଲା ଏବଂ ବାଣିଜ୍ୟ ଦିଗକୁ ଆଲୋଚନାରେ ସମିଳିତ କରିବା, ତଣାଟଣି କମେଇବାରେ ସାହାଯ୍ୟ କରିଥିଲା।