ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ନୋଏଡା ସେକ୍ଟର–୧୦୪ରେ ଅବସ୍ଥିତ ଏକ ଉଚ୍ଚ ଆବାସିକ ଭବନର ୧୭ତମ ମହଲାରୁ ଡେଇଁ ପଡି ଇଣ୍ଡିଆନ୍ ଅଏଲ୍ କର୍ପୋରେସନ (IOC)ର ଜଣେ ବରିଷ୍ଠ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ପରିଚୟ ୫୫ ବର୍ଷୀୟ ଅନିଲ ଗର୍ଗ ଭାବେ ହୋଇଛି, ଯିଏ IOCର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପଦବୀରେ କାର୍ଯ୍ୟରତ ଥିଲେ।
ପୁଲିସ ସୂତ୍ର ଅନୁଯାୟୀ, ଅନିଲ ଗର୍ଗ ମୂଳତଃ କାନପୁରର ବାସିନ୍ଦା ଥିଲେ। ସେ ନୋଏଡା ସେକ୍ଟର–୧୦୪ର ATS One Hamlet ସୋସାଇଟିରେ ନିଜ ପତ୍ନୀ ମୟୂରୀ ଗର୍ଗ ଓ ପୁଅ ସହିତ ବସବାସ କରୁଥିଲେ। ଘଟଣା ସୂଚନା ପାଇ ପୁଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ପୁଲିସ ଘଟଣାସ୍ଥଳରୁ ଗୋଟିଏ ସୁଇସାଇଡ୍ ନୋଟ୍ ଜବତ କରିଛି। ଉକ୍ତ ନୋଟ୍ରେ ଅନିଲ ଗର୍ଗ ଲେଖିଥିବା ଜଣାପଡ଼ିଛି ଯେ, ସେ ନିଜ ପରିବାରକୁ ବହୁତ ଭଲପାଉଥିଲେ, କିନ୍ତୁ ଦୀର୍ଘ ଦିନ ଧରି ମାନସିକ ଅଶାନ୍ତିରେ ଥିଲେ ଏବଂ ତାଙ୍କ ମୃତ୍ୟୁ ପାଇଁ କେହି ଦାୟୀ ନୁହନ୍ତି। ପୁଲିସ ଏହି ନୋଟ୍କୁ ଆଧାର କରି ମାମଲାର ତଦନ୍ତ ଜାରି ରଖିଛି ଏବଂ ପରିବାର ସଦସ୍ୟଙ୍କ ବୟାନ ରେକର୍ଡ କରାଯାଉଛି।
ପ୍ରାରମ୍ଭିକ ସୂଚନା ଅନୁଯାୟୀ, ଘଟଣାଦିନ ସକାଳ ପ୍ରାୟ ୧୦ଟା ୨୦ ମିନିଟ୍ ସମୟରେ ଅନିଲ ଗର୍ଗ ତାଙ୍କ ପତ୍ନୀଙ୍କ ସହ ଫୋନ୍ରେ କଥା ହେଉଥିଲେ। ଘରଭିତରେ ନେଟୱର୍କ ସମସ୍ୟା ହେବାରୁ ସେ ମୋବାଇଲ୍ ନେଇ ବାଲକୋନିକୁ ଯାଇଥିଲେ। ସେଠାରେ ହଠାତ୍ ଭାବେ ସେ ୧୭ତମ ମହଲାରୁ ତଳକୁ ଡେଇଁ ପଡ଼ିଥିବା ଜଣାପଡ଼ିଛି।
ସ୍ଥାନୀୟ ଲୋକମାନେ ତୁରନ୍ତ ତାଙ୍କୁ ଉଦ୍ଧାର କରି ନିକଟସ୍ଥ ଡାକ୍ତରଖାନାକୁ ନେଇଥିଲେ, ହେଲେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ। ପ୍ରାରମ୍ଭିକ ତଦନ୍ତ ରିପୋର୍ଟ ଓ ସୁଇସାଇଡ୍ ନୋଟ୍ ଆଧାରରେ ଏହାକୁ ଆତ୍ମହତ୍ୟା ମାମଲା ବୋଲି ପୁଲିସ ସ୍ପଷ୍ଟ କରିଛି।





