ନୂଆଦିଲ୍ଲୀ: Ashwini Vaishnaw ଆଜି ରେଳ ଭବନରେ ସାରା ଦେଶର ରେଳ ଅଧିକାରୀଙ୍କ ସହ ଆୟୋଜିତ ଏକ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରି ଗରିବ ଓ ମଧ୍ୟବିତ୍ତ ବର୍ଗଙ୍କୁ ଉତ୍ତମ ଓ ସୁବିଧାଜନକ ଯାତ୍ରା ସେବା ଯୋଗାଇବାକୁ Indian Railwaysର ସର୍ବୋଚ୍ଚ ପ୍ରାଥମିକତା ବୋଲି କହିଛନ୍ତି। ସେ ସମସ୍ତ ଅଧିକାରୀଙ୍କୁ ଏହି ଲକ୍ଷ୍ୟ ପୂରଣ ପାଇଁ ସମନ୍ୱିତ ଭାବେ କାମ କରିବାକୁ ଆହ୍ୱାନ କରିଥିଲେ।

ମନ୍ତ୍ରୀ କହିଥିଲେ ଯେ, ଗତ କିଛି ବର୍ଷରେ ରେଳ ଦୁର୍ଘଟଣାରେ ଲକ୍ଷଣୀୟ ହ୍ରାସ ଓ ରେକର୍ଡ ସଂଖ୍ୟକ ମାଲ ପରିବହନ ଯୋଗୁଁ ରେଳବାଇର ସାର୍ବଜନୀନ ଛବିରେ ସୁଧାର ଆସିଛି। ପର୍ବପର୍ବାଣୀ ସମୟରେ ବିଶେଷ ଟ୍ରେନ୍‌ର ସଫଳ ପରିଚାଳନାକୁ ମଧ୍ୟ ସେ ପ୍ରଶଂସା କରିଥିଲେ।

ଯାତ୍ରୀ ସୁବିଧା ଉପରେ ଗୁରୁତ୍ୱ ଦେଇ ସେ କହିଥିଲେ ଯେ, ରେଳ ଷ୍ଟେସନଗୁଡ଼ିକ ହେଉଛି ରେଳବାଇର “ମୁହଁ”। ତେଣୁ ସମସ୍ତ ଷ୍ଟେସନରେ ସ୍ୱଚ୍ଛତା, ରକ୍ଷଣାବେକ୍ଷଣ ଓ ଉନ୍ନତ ସୁବିଧା ସୁନିଶ୍ଚିତ କରିବା ଆବଶ୍ୟକ। ପାଣ୍ଠିର ସଠିକ୍ ବ୍ୟବହାର ମାଧ୍ୟମରେ ଷ୍ଟେସନ ଉନ୍ନୟନକୁ ତ୍ୱରାନ୍ୱିତ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।

ଭିଡ଼ ପରିଚାଳନା, ବିଶେଷ କରି ପର୍ବ ସମୟରେ, ଯାତ୍ରୀମାନେ ଯେପରି ସୁଗମ ଭାବେ ପ୍ଲାଟଫର୍ମ ଓ ଟ୍ରେନ୍‌ରେ ପ୍ରବେଶ କରିପାରିବେ, ସେଥିପାଇଁ ବିଶେଷ ବ୍ୟବସ୍ଥା ନେବାକୁ କହିଛନ୍ତି। ଏହା ସହିତ ଯାତ୍ରୀ ସୁବିଧା ଓ ସୁଗମ୍ୟତା ବୃଦ୍ଧିକୁ ପ୍ରାଥମିକତା ଦେବାକୁ ଉପଦେଶ ଦେଇଛନ୍ତି।

ବୈଠକରେ ଚାଲୁଥିବା ରେଳ ପ୍ରକଳ୍ପଗୁଡ଼ିକ ପାଇଁ ଜମି ଅଧିଗ୍ରହଣ ନେଇ ଆଲୋଚନା ହୋଇଥିଲା। ଏହାକୁ ତ୍ୱରାନ୍ୱିତ କରିବା ସହ ଆବଶ୍ୟକ ହେଲେ ଅଭିଜ୍ଞ ଅଧିକାରୀଙ୍କ ସହଯୋଗ ନେବାକୁ କହାଯାଇଛି। ରେଳ ଟ୍ରାକ୍‌ ପାଖରେ ରହୁଥିବା ଲୋକଙ୍କ ସମସ୍ୟାକୁ ମାନବିକ ଭାବରେ ସମାଧାନ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।

ଏହାସହ ରେଳ ଅଣ୍ଡରପାସ ନିର୍ମାଣକୁ ବୃଦ୍ଧି କରିବା, ଯାହା ପାଦଚାରୀ ସହିତ ସାଇକେଲ ଓ ଦୁଇଚକା ଯାନ ପାଇଁ ମଧ୍ୟ ସୁବିଧାଜନକ ହେବ, ସେଥିରେ ଗୁରୁତ୍ୱ ଦିଆଯାଇଛି। ଦେଶର ବିଭିନ୍ନ ଅଞ୍ଚଳରେ ପାଇଲଟ୍ ପ୍ରକଳ୍ପ ଆରମ୍ଭ କରିବାକୁ ନିଷ୍ପତ୍ତି ହୋଇଛି।

ଅନ୍ୟପକ୍ଷରେ, ରେଳ ମନ୍ତ୍ରଣାଳୟ ସ୍ପଷ୍ଟ କରିଛି ଯେ ଓଡ଼ିଶାରୁ ଗୋଟିଏ ଇଞ୍ଚ ମଧ୍ୟ ରେଳ ଟ୍ରାକ୍‌ ଅନ୍ୟ ରାଜ୍ୟକୁ ସ୍ଥାନାନ୍ତର ହେଉନାହିଁ। ଓଡ଼ିଶାରେ ରେଳ ବିକାଶ ପାଇଁ ୯୩,୦୦୦ କୋଟି ଟଙ୍କାରୁ ଅଧିକ ନିବେଶ ହୋଇଥିବା ସୂଚନା ମଧ୍ୟ ଦିଆଯାଇଛି। ରାୟଗଡା ଡିଭିଜନକୁ ମଞ୍ଜୁରୀ ମିଳିଥିବାବେଳେ ଶୀଘ୍ର କାର୍ଯ୍ୟ ଆରମ୍ଭ ହେବ ବୋଲି କୁହାଯାଇଛି।

ରେଳବାଇ ମଧ୍ୟ ଏହା ସ୍ପଷ୍ଟ କରିଛି ଯେ ପଲାସା-ଇଚ୍ଛାପୁରମ ସେକ୍ସନରୁ କୌଣସି ବୃହତ୍ ରାଜସ୍ୱ କ୍ଷତି ହେବ ନାହିଁ ଏବଂ ପୂର୍ବତଟ ରେଳବାଇର ଆର୍ଥିକ ସ୍ଥିତି ଉପରେ ଏହାର ପ୍ରଭାବ ପଡ଼ିବ ନାହିଁ।