ତେହେରାନ: ଇସ୍ରାଏଲ ପକ୍ଷରୁ ହୋଇଥିବା ଆକ୍ରମଣକୁ ଇରାନ ସରକାର ଓ ଦେଶର ଗଣମାଧ୍ୟମ ନିଶ୍ଚିତ କରିଛନ୍ତି। ରିପୋର୍ଟ ଅନୁଯାୟୀ, ପୂର୍ବ ଇରାନର ଉତ୍ତର ସୟଦ ଖାନଦାନ ଅଞ୍ଚଳ ସହ ରାଜଧାନୀ ତେହେରାନର ଅନେକ ସ୍ଥାନରେ ଜୋରଦାର ବିସ୍ଫୋରଣ ଘଟିଥିବା ସୂଚନା ମିଳିଛି।
ତେହେରାନର ୟୁନିଭରସିଟି ଷ୍ଟ୍ରିଟ୍, ଜୌମହୁରୀ ଅଞ୍ଚଳ ଏବଂ ମେହରାବାଦ ବିମାନବନ୍ଦରକୁ ଲକ୍ଷ୍ୟ କରି ଆକ୍ରମଣ ହୋଇଥିବା କୁହାଯାଉଛି। ବିସ୍ଫୋରଣ ପରେ ଆକାଶକୁ କଳା ଧୂଆଁ ଉଠୁଥିବା ଦୃଶ୍ୟ ସ୍ଥାନୀୟ ମାଧ୍ୟମରେ ପ୍ରକାଶ ପାଇଛି।
ଇରାନୀ ଗଣମାଧ୍ୟମ ଅନୁସାରେ, ଦେଶର ମୋଟ ୩୯ଟି ଗୁରୁତ୍ୱପୂର୍ଣ୍ଣ ସ୍ଥାନକୁ ଟାର୍ଗେଟ କରାଯାଇଛି। କେତେକ ଉଚ୍ଚପଦସ୍ଥ ମନ୍ତ୍ରୀଙ୍କ ଆବାସ ଓ ଇରାନର ଗୁପ୍ତଚର ସଂସ୍ଥାର ମୁଖ୍ୟାଳୟ ଉପରେ ମଧ୍ୟ ଆକ୍ରମଣ ହୋଇଥିବା ଦାବି କରାଯାଇଛି।
ପରିସ୍ଥିତିକୁ ଦୃଷ୍ଟିରେ ରଖି ଇରାନ ସରକାର ଦେଶର ଆକାଶପଥକୁ ଅସ୍ଥାୟୀ ଭାବେ ବନ୍ଦ କରିବାକୁ ନିର୍ଦ୍ଦେଶ ଜାରି କରିଛି। ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଠୋର କରାଯାଇଛି।
ଏହି ଘଟଣା ପରେ ଆମେରିକା ନିଜ ନାଗରିକମାନଙ୍କ ପାଇଁ ସତର୍କତା ସୂଚନା ଜାରି କରିଛି। ମଧ୍ୟପ୍ରାଚ୍ୟର କେତେକ ଦେଶରେ ଥିବା ଆମେରିକୀୟ ଦୂତାବାସଗୁଡ଼ିକୁ ଅସ୍ଥାୟୀ ଭାବେ ବନ୍ଦ କରାଯାଇଥିବାବେଳେ କୂଟନୀତିଜ୍ଞ ଓ କର୍ମଚାରୀମାନଙ୍କୁ ସୁରକ୍ଷିତ ସ୍ଥାନକୁ ସରିଯିବାକୁ ପରାମର୍ଶ ଦିଆଯାଇଛି।
ଏହି ଆକ୍ରମଣ ପରେ ମଧ୍ୟପ୍ରାଚ୍ୟ ଅଞ୍ଚଳରେ ଉତ୍ତେଜନା ଆହୁରି ବୃଦ୍ଧି ପାଇଥିବା ଆନ୍ତର୍ଜାତୀୟ ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି।





