ତେହେରାନ: ମଧ୍ୟପ୍ରାଚ୍ୟରେ ବଢୁଥିବା ତଣାପୋଡ଼ ମଧ୍ୟରେ ଇରାନ ପୁଣିଥରେ ଆମେରିକାକୁ ଚ୍ୟାଲେଞ୍ଜ ଦେଇଛି। ଇରାନର Islamic Revolutionary Guard Corps (ଆଇଆର୍ଜିସି) ଦାବି କରିଛି ଯେ ସେମାନେ ଏକ ଆମେରିକୀୟ F/A-18 Hornet ଲଢୁଆ ବିମାନକୁ ଟାର୍ଗେଟ କରି ଖସାଇଦେଇଛନ୍ତି।
ଇରାନୀ ଅଧିକାରୀଙ୍କ କହିବା ଅନୁସାରେ, ଚାବାହାର ନିକଟରେ ନିୟୋଜିତ ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ଏହି ବିମାନକୁ ଗୁଳି କରିଥିଲା, ଯାହା ପରେ ବିମାନଟି Indian Oceanରେ ଖସି ପଡ଼ିଥିବା ଦାବି କରାଯାଇଛି। ଘଟଣା ସମ୍ପର୍କିତ ଭିଡିଓ ମଧ୍ୟ ଜାରି କରାଯାଇଛି।
ଇରାନର ସରକାରୀ ମାଧ୍ୟମ Press TV ଦ୍ୱାରା ପ୍ରକାଶିତ ଫୁଟେଜରେ ଆକାଶରେ ଉଡୁଥିବା ଏକ ବିମାନ ନିକଟରେ ବିସ୍ଫୋରଣ ଦେଖାଯାଇଛି। କିଛି ସମୟ ପରେ ବିମାନଟି ନିୟନ୍ତ୍ରଣ ହରାଇଥିବା ସହ ପାଇଲଟ୍ ପାରାଚୁଟ୍ ସାହାଯ୍ୟରେ ବାହାରିଥିବା ଭିଡିଓରେ ଦେଖାଯାଉଛି।
ତେବେ ଏହି ଦାବିକୁ ଆମେରିକା ପକ୍ଷରୁ ସଂପୂର୍ଣ୍ଣ ଭାବେ ଖଣ୍ଡନ କରାଯାଇଛି। United States Central Command (ସେଣ୍ଟକମ୍) କହିଛି ଯେ ଆମେରିକାର କୌଣସି ଯୁଦ୍ଧ ବିମାନ ଖସାଯାଇନାହିଁ କିମ୍ବା କ୍ଷତିଗ୍ରସ୍ତ ହୋଇନାହିଁ।
ଏହି ଘଟଣାକୁ ନେଇ ଉଭୟ ପକ୍ଷର ଦାବି ଓ ପ୍ରତିଦାବି ଚାଲିଥିବା ବେଳେ ସତ୍ୟତା ସ୍ପଷ୍ଟ ହୋଇପାରିନାହିଁ। ଏପରି ସମୟରେ ଇରାନ ଓ ଆମେରିକା ମଧ୍ୟରେ ବଢୁଥିବା ତଣାପୋଡ଼ ଆଗାମୀ ଦିନରେ ଆଉ ଗୁରୁତର ରୂପ ନେବାର ଆଶଙ୍କା ରହିଛି।





