ତେହେରାନ: ମଧ୍ୟପ୍ରାଚ୍ୟର ତଣାପୋଡ଼ ମଧ୍ୟରେ ଇରାନ ହର୍ମୁଜ୍ ପ୍ରଣାଳୀ ଦେଇ ଯାହାଜ ଚଳାଚଳକୁ ନେଇ ନୂଆ ରଣନୀତି ଗ୍ରହଣ କରିଛି। ଏହି ପରିପ୍ରେକ୍ଷିତରେ ଦୁଇଟି ଭାରତୀୟ ଏଲ୍‌ପିଜି ବହନକାରୀ ଜାହାଜକୁ ଗୁପ୍ତ ଭାବରେ ବିକଳ୍ପ ମାର୍ଗ ଦେଇ ଭାରତକୁ ଯିବାକୁ ଅନୁମତି ଦିଆଯାଇଛି।

ରିପୋର୍ଟ ଅନୁଯାୟୀ, ଭାରତୀୟ ପତାକା ବହନ କରୁଥିବା ‘ଜଗ ବସନ୍ତ’ ଏବଂ ‘ପାଇନ୍ ଗ୍ୟାସ୍’ ନାମକ ଦୁଇଟି ଏଲ୍‌ପିଜି ଟ୍ୟାଙ୍କର୍ ପର୍ସିଆନ୍ ଉପସାଗରରୁ ଭାରତ ମୁହାଁ ହୋଇଛି। ଇରାନୀ କର୍ତ୍ତୃପକ୍ଷ ଏହି ଜାହାଜଗୁଡ଼ିକୁ ସାଧାରଣ ପଥ ପରିବର୍ତ୍ତେ ‘ଲାରାକ୍-କେଶମ୍ ଚ୍ୟାନେଲ୍’ ଦେଇ ଗତି କରିବାକୁ ସୁବିଧା ଦେଇଛନ୍ତି।

ଲାରାକ୍-କେଶମ୍ ଚ୍ୟାନେଲ୍ କାହିଁକି ଗୁରୁତ୍ୱପୂର୍ଣ୍ଣ?

ସାଧାରଣତଃ ହର୍ମୁଜ୍ ପ୍ରଣାଳୀ ଦେଇ ଯାଉଥିବା ଜାହାଜମାନେ ଏହି ଚ୍ୟାନେଲ୍ ବ୍ୟବହାର କରନ୍ତି ନାହିଁ। କିନ୍ତୁ ଚାଲୁଥିବା ଯୁଦ୍ଧ ଓ ସୁରକ୍ଷା ସଙ୍କଟ ଦୃଷ୍ଟିରୁ ଇରାନ ଏହି ମାର୍ଗକୁ ବିକଳ୍ପ ଭାବେ ବ୍ୟବହାର କରୁଛି।

ଏହି ଚ୍ୟାନେଲ୍ ଇରାନର କ୍ଷେତ୍ରୀୟ ଜଳସୀମା ମଧ୍ୟରେ ଥିବାରୁ ଏଠାରେ ଇରାନର ପୂର୍ଣ୍ଣ ନିୟନ୍ତ୍ରଣ ରହିଛି। ତେଣୁ ଯାହାଜ ଚଳାଚଳ ଉପରେ କଡ଼ା ନଜର ରଖିବା ସହିତ ନିରାପତ୍ତା ନିଶ୍ଚିତ କରିବା ପାଇଁ ଏହା ଏକ ସୁରକ୍ଷିତ ପଥ ହେବାକୁ ଲାଗିଛି।

ଚୟନିତ ଦେଶକୁ ମାତ୍ର ଅନୁମତି

ଇସ୍ରାଏଲ ଓ ଆମେରିକା ସହ ତଣାପୋଡ଼ ପରେ, ଇରାନ ସମସ୍ତ ଜାହାଜକୁ ହର୍ମୁଜ୍ ଦେଇ ଯିବାକୁ ଅନୁମତି ଦେଉନାହିଁ। କେବଳ ଚୟନିତ ଦେଶ ଓ ଯାହାଜମାନଙ୍କୁ ଆଲୋଚନା ପରେ ଅନୁମତି ମିଳୁଛି।

ଏହି ପରିସ୍ଥିତିରେ, ଭାରତ ସହ ଭଲ ସମ୍ପର୍କ ରହିଥିବାରୁ ଭାରତୀୟ ଜାହାଜମାନେ ଏହି ବିକଳ୍ପ ମାର୍ଗର ସୁବିଧା ପାଉଥିବା ବୋଲି ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି।

ବୃଦ୍ଧି ପାଉଛି ଭୌଗୋଳିକ ଗୁରୁତ୍ୱ

ଯୁଦ୍ଧ ଆରମ୍ଭ ହେବା ପରଠାରୁ ହର୍ମୁଜ୍ ପ୍ରଣାଳୀର ଗୁରୁତ୍ୱ ଆହୁରି ବଢ଼ିଛି। ବିଶ୍ୱ ତୈଳ ଓ ଗ୍ୟାସ୍ ପରିବହନର ଏକ ମୁଖ୍ୟ ରୁଟ୍ ହେବାରୁ, ଏଠାରେ ଘଟୁଥିବା ପରିବର୍ତ୍ତନ ସମଗ୍ର ବିଶ୍ୱ ଅର୍ଥନୀତି ଉପରେ ପ୍ରଭାବ ପକାଉଛି।

ଇରାନର ଏହି ନୂତନ ରଣନୀତି ଆଗାମୀ ଦିନରେ ଆନ୍ତର୍ଜାତିକ ଜାହାଜ ପରିବହନ ଓ ଉର୍ଜା ବଜାରରେ ଆଉ ଅଧିକ ପ୍ରଭାବ ପକାଇପାରେ ବୋଲି ଅନୁମାନ କରାଯାଉଛି।