ତେହେରାନ: ଇରାନ ସରକାର ମହିଳାଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ନୀତିଗତ ପଦକ୍ଷେପ ନେଇଛନ୍ତି। ଏବେ ଦେଶର ମହିଳାମାନେ ଆଇନସମ୍ମତ ଭାବରେ ମୋଟରସାଇକେଲ ଚଲାଇବା ପାଇଁ ଡ୍ରାଇଭିଂ ଲାଇସେନ୍ସ ପାଇପାରିବେ। ଏହା ସହିତ ବର୍ଷଧରି ଚାଲୁଥିବା ଆଇନଗତ ଅସ୍ପଷ୍ଟତାର ଅନ୍ତ ଘଟିଥିବା କୁହାଯାଉଛି।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ପୂର୍ବରୁ ଆଇନରେ ମହିଳାମାନଙ୍କୁ ସିଧାସଳଖ ମୋଟରସାଇକେଲ କିମ୍ବା ସ୍କୁଟର ଚଳାଇବାକୁ ନିଷେଧ କରାଯାଇନଥିଲେ ମଧ୍ୟ, ପ୍ରଶାସନ ତାଙ୍କୁ ଲାଇସେନ୍ସ ଜାରି କରୁନଥିଲା। ଏହି କାରଣରୁ ଅନେକ ସମୟରେ ଦୁର୍ଘଟଣା ଘଟିଲେ ମହିଳାମାନେ ଅନ୍ୟାୟଭାବେ ଦୋଷୀ ଠାରୁଥିଲେ। ନୂତନ ନିଷ୍ପତ୍ତି ପରେ ସେହି ସମସ୍ୟାର ସମାଧାନ ହେବ ବୋଲି ଆଶା କରାଯାଉଛି।

ସୂଚନା ଅନୁସାରେ, ଇରାନର ଉପରାଷ୍ଟ୍ରପତି ମହମ୍ମଦ ରେଜା ଆରେଫ ଏହି ପ୍ରସ୍ତାବରେ ସ୍ୱାକ୍ଷର କରିଛନ୍ତି। ଜାନୁଆରି ଶେଷ ସପ୍ତାହରେ କ୍ୟାବିନେଟ ଏହାକୁ ଅନୁମୋଦନ ଦେଇଥିଲା। ନୂତନ ନିୟମ ଅନୁଯାୟୀ, ଟ୍ରାଫିକ୍ ପୁଲିସ ମହିଳାମାନଙ୍କୁ ବିଶେଷ ତାଲିମ ଦେବେ ଏବଂ ପରୀକ୍ଷା ପରେ ଯୋଗ୍ୟ ଆବେଦକଙ୍କୁ ଲାଇସେନ୍ସ ପ୍ରଦାନ କରାଯିବ।

ଏହି ନିଷ୍ପତ୍ତିକୁ ମହିଳା ଅଧିକାର ଦିଗରେ ଏକ ସକାରାତ୍ମକ ପଦକ୍ଷେପ ଭାବେ ଦେଖାଯାଉଛି। ଏହା ମହିଳାମାନଙ୍କୁ ଯାତାୟାତରେ ଅଧିକ ସ୍ୱାଧୀନତା ଦେବା ସହ ସଡ଼କ ଉପରେ ଭେଦଭାବ କମେଇବାରେ ସାହାଯ୍ୟ କରିବ ବୋଲି ବିଶ୍ଳେଷକମାନେ ମତ ପ୍ରକାଶ କରିଛନ୍ତି। ଅର୍ଥନୈତିକ ଓ ସାମାଜିକ ପରିସ୍ଥିତିକୁ ନେଇ ଚାଲୁଥିବା ବିଭିନ୍ନ ଆନ୍ଦୋଳନ ମଧ୍ୟରେ ସରକାରଙ୍କ ଏହି ପଦକ୍ଷେପ ଗୁରୁତ୍ୱ ଅଧିକ ପାଇଛି।