ଭୁବନେଶ୍ୱର/ଋଷିକେଶ: ଅକ୍ଟୋବର ୭ରେ ଋଷିକେଶରେ ହୋଇଥିବା ଅଦିନିଆ ରଥଯାତ୍ରାକୁ ନେଇ ଉଦ୍ଭବିତ ବିବାଦ ଉପରେ ଇସ୍କନ ପକ୍ଷରୁ ସଫେଇ ଦିଆଯାଇଛି। ସଂଗଠନ ପକ୍ଷରୁ ଜାରି ହୋଇଥିବା ଏକ ସୂଚନାରେ କୁହାଯାଇଛି ଯେ ଏହି ରଥଯାତ୍ରାରେ ଇସ୍କନ ଋଷିକେଶର କୌଣସି ସାଙ୍ଗଠନିକ କିମ୍ବା ବ୍ୟକ୍ତିଗତ ଭୂମିକା ନଥିଲା। ଏହା ପୂରାପୂରି ମଧୁବନ ଆଶ୍ରମ ପକ୍ଷରୁ ଆୟୋଜିତ ହୋଇଥିଲା ବୋଲି ସେମାନେ ସପଷ୍ଟ କରିଛନ୍ତି।

ଇସ୍କନ ସୂଚନାରେ ଆହୁରି କୁହାଯାଇଛି ଯେ ଏହି ରଥଯାତ୍ରାରେ ଇସ୍କନ ଋଷିକେଶର କୌଣସି ଭକ୍ତ କିମ୍ବା ପ୍ରତିନିଧି ଅଂଶ ନେଇନଥିଲେ। ସଂଗଠନ ପୁରୀ ଗଜପତି ମହାରାଜଙ୍କ ସହ ପାରସ୍ପରିକ ସମ୍ମତ ସମୟସାରଣୀ ଅନୁସରଣ କରୁଛି ବୋଲି ଉଲ୍ଲେଖ ହୋଇଛି।

ଉଲ୍ଲେଖନୀୟ ଯେ, ଅକ୍ଟୋବର ୭ରେ ମଧୁବନ ଆଶ୍ରମ ପକ୍ଷରୁ ଋଷିକେଶରେ ଶ୍ରୀଜଗନ୍ନାଥଙ୍କ ୨୮ତମ ରଥଯାତ୍ରା ଆୟୋଜିତ ହୋଇଥିଲା। ସକାଳ ୯:୩୦ରେ ମଧୁବନ ଆଶ୍ରମଠାରୁ ଆରମ୍ଭ ହୋଇ ଏହା ତ୍ରିବେଣୀ ଘାଟ, ଗୁରୁଦ୍ୱାର ଶ୍ରୀ ଗୁରୁ ସିଂ ସଭା ଓ ରେଲୱେ ରୋଡ୍‌ ହୋଇ ଶେଷ ହୋଇଥିଲା।

ଏହି ରଥ କୌଣସି ପାରମ୍ପରିକ କାଠ କିମ୍ବା ଧାତୁରେ ନିର୍ମିତ ନ ହୋଇ, ଏକ ଚାରିଚକିଆ ଯାନରେ ଶ୍ରୀ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କ ମୂର୍ତ୍ତି ବିରାଜିତ ଥିଲେ। ଏହାକୁ ଦେଖି ଅନେକ ଭକ୍ତ ଓ ଜଗନ୍ନାଥପ୍ରେମୀ ଅସନ୍ତୋଷ ଓ ଅପମାନବୋଧ ପ୍ରକାଶ କରିଥିଲେ।

ଏହି ଘଟଣା ପରେ ଗଜପତି ମହାରାଜା ଗଭୀର କ୍ଷୋଭ ପ୍ରକାଶ କରିଥିଲେ। ସେପ୍ଟେମ୍ବର ୬ରେ ହୋଇଥିବା ବୈଠକର ନିଷ୍ପତ୍ତି ଅନୁଯାୟୀ, ନୀତି ବିରୋଧୀ ସ୍ନାନଯାତ୍ରା ଓ ରଥଯାତ୍ରା ବିରୋଧରେ ଗଜପତି ମହାରାଜା ୧୦୦ ପୃଷ୍ଠା ଧାରଣା ଥିବା ଚିଠି ଇସ୍କନ କର୍ତ୍ତୃପକ୍ଷଙ୍କୁ ପ୍ରେରଣ କରିଥିଲେ, ଯେଉଁଥିରେ ନୀତି ଓ ପରମ୍ପରା ଭଙ୍ଗ ହେଲେ ଆଇନ ମାଧ୍ୟମରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସତର୍କ କରାଯାଇଥିଲା।