ଶ୍ରୀହରିକୋଟା, ନଭେମ୍ବର ୨: ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ISRO) ରବିବାର ଦେଶର ସବୁଠୁ ଓଜନିଆ ଯୋଗାଯୋଗ ଉପଗ୍ରହ CMS-03କୁ ସଫଳତାର ସହ ଉତକ୍ଷେପଣ କରି ନୂଆ ମାଇଲସ୍ଟୋନ୍ ସୃଷ୍ଟି କରିଛି। ଶ୍ରୀହରିକୋଟା ସ୍ପେସ୍ ସେଣ୍ଟରରୁ ଏହାକୁ LVM3-M5 ରକେଟ୍‌ ମାଧ୍ୟମରେ ଜିଓସିଙ୍କ୍ରୋନସ୍ ଟ୍ରାନ୍ସଫର କକ୍ଷପଥ (GTO)କୁ ପଠାଯାଇଛି।

୨୪ ଘଣ୍ଟିଆ କାଉଣ୍ଟଡାଉନ୍ ପରେ ଅସାଧାରଣ ଲଞ୍ଚ୍

୨୪ ଘଣ୍ଟିଆ କାଉଣ୍ଟଡାଉନ୍ ଶେଷ ହେବା ପରେ ଅପରାହ୍ନ ୫ଟା ୨୬ ମିନିଟରେ ୪୩.୫ ମିଟର ଉଚ୍ଚତା ବିଶିଷ୍ଟ ରକେଟ୍ ଶ୍ରୀହରିକୋଟାର ଦ୍ୱିତୀୟ ଲଞ୍ଚ୍ ପ୍ୟାଡ଼ରୁ ଉଡ଼ାଣ ଭରିଥିଲା। ପ୍ରାୟ ୧୬ ରୁ ୨୦ ମିନିଟ୍‌ ଉଡ଼ାଣ ପରେ ଉପଗ୍ରହଟି ପୃଥିବୀଠାରୁ ପ୍ରାୟ ୧୮୦ କିଲୋମିଟର ଉଚ୍ଚତାରେ ରକେଟ୍‌ଠାରୁ ଅଲଗା ହୋଇ ସଫଳ ଭାବେ କକ୍ଷପଥରେ ପ୍ରବେଶ କରିଥିଲା।

ମଲ୍ଟି-ବ୍ୟାଣ୍ଡ ଯୋଗାଯୋଗ ସେବା ଦେବ CMS-03

CMS-03 ଏକ ମଲ୍ଟି-ବ୍ୟାଣ୍ଡ ଯୋଗାଯୋଗ ଉପଗ୍ରହ, ଯାହା ଭାରତୀୟ ସ୍ଥଳଭାଗ ସହ ଆସପାସର ବିସ୍ତୃତ ସାମୁଦ୍ରିକ ଅଞ୍ଚଳରେ ଯୋଗାଯୋଗ ସେବା ଯୋଗାଇବ। ଏହା ଟେଲିକମ୍‌ୟୁନିକେସନ୍‌, ବ୍ରଡକାଷ୍ଟିଂ ଓ ଡାଟା ଟ୍ରାନ୍ସମିସନ୍‌ ସେବାକୁ ଆରମ୍ଭ କରି ଦେଶର ଡିଜିଟାଲ ଯୋଗାଯୋଗ ବ୍ୟବସ୍ଥାକୁ ଅଧିକ ଶକ୍ତିଶାଳୀ କରିବ।

ଭାରତୀୟ ମାଟିରୁ ସବୁଠୁ ଭାରୀ ଉପଗ୍ରହ ଲଞ୍ଚ୍

ଏହି ଉତକ୍ଷେପଣ ଭାରତ ପାଇଁ ବିଶେଷ ମାନେ ରଖେ, କାରଣ ଏହା ହେଉଛି ଭାରତୀୟ ମାଟିରୁ GTO କକ୍ଷପଥକୁ ଯାଇଥିବା ସବୁଠୁ ଭାରୀ ଉପଗ୍ରହ। ଏହା ପୂର୍ବରୁ, ଇସ୍ରୋ ଏପରି ଭାରୀ ଉପଗ୍ରହ ଉତକ୍ଷେପଣ ପାଇଁ ଫ୍ରେଞ୍ଚ ଗୁଇନାର କୌରୁ ଲଞ୍ଚ୍ ବେସ୍ ବ୍ୟବହାର କରୁଥିଲା। ୨୦୧୮ ଡିସେମ୍ବରରେ ସେଠାରୁ ୫,୮୫୪ କିଲୋଗ୍ରାମ ଓଜନର GSAT-11 ଉପଗ୍ରହ ଉତକ୍ଷେପଣ କରିଥିଲେ।

CMS-03ର ସଫଳ ଉତକ୍ଷେପଣ ଭାରତୀୟ ମହାକାଶ କ୍ଷମତାକୁ ନୂଆ ଉଚ୍ଚତାକୁ ନେଇଯାଇଛି ଓ ‘ମେଡ୍-ଇନ୍-ଇଣ୍ଡିଆ’ ମହାକାଶ ପ୍ରଯୁକ୍ତିରେ ଦେଶକୁ ଆଗକୁ ଆଣିଛି।