ନୂଆଦିଲ୍ଲୀ: ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନୟୁ) କ୍ୟାମ୍ପସରେ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କ ବିରୋଧରେ ଆପତ୍ତିଜନକ ସ୍ଲୋଗାନ ଦିଆଯାଇଥିବା ଅଭିଯୋଗକୁ ନେଇ ବିଶ୍ୱବିଦ୍ୟାଳୟ ପ୍ରଶାସନ କଠୋର ଭୂମିକା ନେଇଛି। ମଙ୍ଗଳବାର ଜେଏନୟୁ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ ଏହି ଘଟଣାରେ ଜଡିତ ଛାତ୍ରଛାତ୍ରୀଙ୍କ ବିରୋଧରେ ନିଲମ୍ବନ, ବହିଷ୍କାର କିମ୍ବା ବିଶ୍ୱବିଦ୍ୟାଳୟ ପ୍ରବେଶ ଉପରେ ସ୍ଥାୟୀ ପ୍ରତିବନ୍ଧ ସହିତ କଠୋର ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରେ।
ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଜାରି କରାଯାଇଥିବା ଏକ ପୋଷ୍ଟରେ ଜେଏନୟୁ ପ୍ରଶାସନ ଜଣାଇଛି ଯେ ଘଟଣା ସଂପର୍କରେ ପୁଲିସରେ ମାମଲା ରୁଜୁ କରାଯାଇଛି ଏବଂ ସଂପୃକ୍ତ ଛାତ୍ରଛାତ୍ରୀଙ୍କ ବିରୋଧରେ ଶୃଙ୍ଖଳାଗତ ପ୍ରକ୍ରିୟା ଆରମ୍ଭ ହୋଇଛି।
ବିଶ୍ୱବିଦ୍ୟାଳୟ ପକ୍ଷରୁ କୁହାଯାଇଛି ଯେ ଶିକ୍ଷାନୁଷ୍ଠାନଗୁଡ଼ିକ ନୂତନ ଚିନ୍ତାଧାରା ଓ ବୌଦ୍ଧିକ ଆଲୋଚନାର କେନ୍ଦ୍ର, ଘୃଣା କିମ୍ବା ଅସହିଷ୍ଣୁତା ପ୍ରସାରର ସ୍ଥାନ ନୁହେଁ। ବାକ୍ସ୍ୱାଧୀନତା ମୌଳିକ ଅଧିକାର ହେଲେ ମଧ୍ୟ ହିଂସା, ବେଆଇନ କାର୍ଯ୍ୟକଳାପ ଓ ଦେଶବିରୋଧୀ କାର୍ଯ୍ୟକୁ କେବେ ମଧ୍ୟ ସହନ କରାଯିବ ନାହିଁ ବୋଲି ପ୍ରଶାସନ ସପ୍ଷ୍ଟ କରିଛି।
ଏହା ପୂର୍ବରୁ ମଧ୍ୟ ବିଶ୍ୱବିଦ୍ୟାଳୟ ପ୍ରଶାସନ ଏହି ଘଟଣାକୁ ଗୁରୁତ୍ୱର ସହ ନେଇ ତଦନ୍ତ ସମୟରେ ପୁଲିସକୁ ସମ୍ପୂର୍ଣ୍ଣ ସହଯୋଗ କରିବା ପାଇଁ କ୍ୟାମ୍ପସ ସୁରକ୍ଷା ବାହିନୀକୁ ନିର୍ଦ୍ଦେଶ ଦେଇଥିଲା।
ଉଲ୍ଲେଖନୀୟ ଯେ, ଦିଲ୍ଲୀ ଦଙ୍ଗା ମାମଲାର ଅଭିଯୁକ୍ତ ଉମର ଖାଲିଦଙ୍କୁ ସୁପ୍ରିମକୋର୍ଟ ଜାମିନ ନ ଦେବା ପରେ ଜେଏନୟୁର ଏକ ଛାତ୍ରଗୋଷ୍ଠୀ ଆକ୍ରୋଶ ପ୍ରକାଶ କରି ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କ ବିରୋଧରେ ଆପତ୍ତିଜନକ ସ୍ଲୋଗାନ ଦେଇଥିବା ଅଭିଯୋଗ ହୋଇଛି।





