ମୁମ୍ବାଇ: ପ୍ରସିଦ୍ଧ ହାସ୍ୟ ଅଭିନେତା କପିଲ ଶର୍ମାଙ୍କ କାଫେ ଉପରେ ଆଉଥରେ ଆକ୍ରମଣ ହୋଇଛି। ଗତ ଚାରି ମାସ ମଧ୍ୟରେ ଏହା ତୃତୀୟ ଆକ୍ରମଣ ହୋଇଥିବାରୁ ସେଲିବ୍ରିଟି ମାନଙ୍କ ସୁରକ୍ଷା ଉପରେ ଗୁରୁତର ପ୍ରଶ୍ନ ଉଠିଛି। ସେଲିବ୍ରିଟି କାଫେ ଉପରେ ଦାଦାବଟି ଆଦାୟକୁ ନେଇ ଏଭଳି ହିଂସା ଘଟଣା ଘଟୁଥିବାରୁ ସାଧାରଣ ଲୋକଙ୍କ ମଧ୍ୟରେ ମଧ୍ୟ ଚିନ୍ତା ବଢିଛି। ସାଉଭାଗ୍ୟବଶତଃ, ଏହି ଆକ୍ରମଣରେ କେହି ଆହତ ହୋଇନାହାନ୍ତି।

ଗୁରୁବାର ସକାଳେ ବ୍ରିଟିଶ କଲମ୍ବିଆର ସରେ ଅଞ୍ଚଳରେ ଘଟିଥିବା ଏହି ସଦ୍ୟତମ ଆକ୍ରମଣ ପଛରେ ଲରେନ୍ସ ବିଷ୍ନୋଇ ଗ୍ୟାଙ୍ଗର ସହଯୋଗୀମାନେ ଥିବା ସନ୍ଦେହ ରହିଛି। ଭିଡିଓ ଫୁଟେଜ୍‌ରେ ଦେଖାଯାଇଛି ଯେ କାଫେର ମୁଖଭାଗକୁ ଗୁଳି ଚାଳି କଣା କରିଦିଆଯାଇଛି।

ସୋସିଆଲ ମିଡିଆରେ ଗୋଲ୍ଡି ଢିଲୋଂ ଓ କୁଲବୀର ସିଦ୍ଧୁ (ଅର୍ଥାତ୍ କୁଲଦୀପ) ଏହି ଆକ୍ରମଣ ପଛରେ ନିଜ ସଂପୃକ୍ତି ସ୍ୱୀକାର କରିଛନ୍ତି। କାନାଡା ସରକାର ସମ୍ପ୍ରତି ବିଷ୍ନୋଇ ଗ୍ୟାଙ୍ଗକୁ ଆତଙ୍କବାଦୀ ସଂଗଠନ ଭାବେ ଘୋଷଣା କରିଛି।

ପୂର୍ବରୁ ଜୁଲାଇ ୧୦, ୨୦୨୫ ରେ ପ୍ରଥମ ଗୁଳିକାଣ୍ଡ ଘଟିଥିଲା, ଯେତେବେଳେ କାଫେର ଉଦଘାଟନର କିଛି ଦିନ ପରେ ଝରକା ଭାଙ୍ଗି ଦିଆଯାଇଥିଲା। ତାପରେ ଅଗଷ୍ଟ ୭, ୨୦୨୫ ରେ ଦ୍ୱିତୀୟ ଆକ୍ରମଣ ହୋଇଥିଲା, ଯାହା ପରେ କାଫେକୁ ଅସ୍ଥାୟୀ ଭାବରେ ବନ୍ଦ କରାଯାଇଥିଲା। ସର୍ବଶେଷ ଆକ୍ରମଣ ଅକ୍ଟୋବର ୨୦୨୫ ରେ ଘଟିଛି, ବର୍ଦ୍ଧିତ ସୁରକ୍ଷା ବ୍ୟବସ୍ଥା ସହିତ କାଫେ ପୁଣି ଖୋଲିବା ପରେ ମାତ୍ର ଦୁଇ ସପ୍ତାହ ମଧ୍ୟରେ।

କାହିଁକି ବାରମ୍ବାର ଆକ୍ରମଣ?

ସୋସିଆଲ ମିଡିଆରେ ଗୋଲ୍ଡି ଢିଲୋଂ ଏକ ପୋଷ୍ଟରେ ଦାବି କରିଛନ୍ତି ଯେ, “କପିଲ ଶର୍ମା ସେମାନଙ୍କ ଧାର୍ମିକ ଭାବନାକୁ ଆଘାତ ଦେଇଛନ୍ତି।” ସେ ଏହା ମଧ୍ୟ ଲେଖିଛନ୍ତି — “ମୁଁ ଗୋଲ୍ଡି ଢିଲୋଂ, କପିଲ୍‌ଙ୍କ କାଫେ ଉପରେ ଘଟିଥିବା ତିନୋଟି ଗୁଳିକାଣ୍ଡ ପାଇଁ ଦାୟୀ। ଆମର ସାଧାରଣ ଲୋକଙ୍କ ସହିତ କୌଣସି ଶତ୍ରୁତା ନାହିଁ।”