କୋଲକାତା, ୩୦ ଜୁନ୍: କୋଲକାତାର ଜଣେ ଆଇନ ଛାତ୍ରୀଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ମାମଲା ବର୍ତ୍ତମାନ ସୁପ୍ରିମକୋର୍ଟ ଯାଉଛି। ଏହି ଘଟଣା ଉପରେ ଅବିଲମ୍ବ ତଦନ୍ତ ଓ ପୀଡିତାଙ୍କ ସୁରକ୍ଷା ପାଇଁ ଆହ୍ୱାନ କରି ଆଜି ଏକ ଆବେଦନ ଦାଖଲ କରାଯାଇଛି।
ସୁପ୍ରିମକୋର୍ଟର ଓକିଲ ସତ୍ୟମ ସିଂହ ସୋମବାର ଦାଖଲ କରିଥିବା ଏହି ଆବେଦନରେ ଦୁଇଟି ପ୍ରମୁଖ ଦାବି ଉଠାଯାଇଛି — ପ୍ରଥମେ ମାମଲାର ସିବିଆଇ ତଦନ୍ତ ଏବଂ ଦ୍ୱିତୀୟରେ ଆଇନ ଛାତ୍ରୀଙ୍କ ସୁରକ୍ଷା ସହ ମନୋବଳ ପୁନଃସ୍ଥାପନ ପାଇଁ କ୍ଷତିପୂରଣ।
ଉଲ୍ଲେଖନୀୟ ଯେ, ଜୁନ ୨୫ ତାରିଖରେ ଦକ୍ଷିଣ କୋଲକାତାର ଏକ ଆଇନ କଲେଜର ପ୍ରଥମ ବର୍ଷର ଛାତ୍ରୀଙ୍କୁ ତାଙ୍କ ଦୁଇଜଣ ସିନିୟର ଛାତ୍ର ଓ ଜଣେ ପୂର୍ବତନ ଛାତ୍ର ମିଳି ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ଏହା ପରେ ପୋଲିସ ୪ ଜଣଙ୍କୁ ଗିରଫ କରିଛି, ଯାହାରେ ମୁଖ୍ୟ ଅଭିଯୁକ୍ତ ମନୋଜିତ ମିଶ୍ର ମଧ୍ୟ ଅନ୍ତର୍ଭୁକ୍ତ।
ଘଟଣା ସାମ୍ନାକୁ ଆସିବା ପରେ, ବିଜେପି ଓ କଂଗ୍ରେସ ଉଭୟ ଦଳ ଏହାକୁ ନେଇ ରାଜ୍ୟର ଆଇନ-ଶୃଙ୍ଖଳା ଉପରେ ପ୍ରଶ୍ନ ଉଠାଇଛନ୍ତି ଓ ମମତା ବାନାର୍ଜୀ ସରକାରକୁ ନିଶାନା କରିଛନ୍ତି।