ନୂଆଦିଲ୍ଲୀ: ଲୋକସଭାରେ ବୁଧବାର ‘ସଷ୍ଟେନେବଲ୍ ହାର୍ନେସିଙ୍ଗ୍ ଆଣ୍ଡ୍ ଆଡ୍ଭାନ୍ସମେଣ୍ଟ୍ ଅଫ୍ ନ୍ୟୁକ୍ଲିଅର୍ ଏନର୍ଜି ଫର୍ ଟ୍ରାନ୍ସଫର୍ମିଙ୍ଗ୍ ଇଣ୍ଡିଆ’ (SHANTI) ବିଲ୍‌, ୨୦୨୫ ଗୃହୀତ ହୋଇଛି। ବିରୋଧୀ ଦଳମାନଙ୍କ କକ୍ଷତ୍ୟାଗ ମଧ୍ୟରେ ବାଚନିକ ଭୋଟରେ ଏହି ଗୁରୁତ୍ୱପୂର୍ଣ୍ଣ ବିଲ୍‌କୁ ଅନୁମୋଦନ ମିଳିଛି।

ଏହି ବିଲ୍‌ ମାଧ୍ୟମରେ ଭାରତର ପରମାଣୁ ଶକ୍ତି କ୍ଷେତ୍ରରେ ଘରୋଇ କମ୍ପାନିଙ୍କ ପ୍ରବେଶ ପାଇଁ ରାସ୍ତା ଖୋଲିଯିବ। ଏପର୍ଯ୍ୟନ୍ତ ଏହି କ୍ଷେତ୍ର ସମ୍ପୂର୍ଣ୍ଣ ଭାବେ ସରକାରୀ ନିୟନ୍ତ୍ରଣ ଅଧୀନରେ ରହିଥିଲା। SHANTI ବିଲ୍‌ ୧୯୬୨ର ପରମାଣୁ ଶକ୍ତି ଆଇନ ଏବଂ ୨୦୧୦ର ‘ସିଭିଲ୍ ଲାଇବିଲିଟି ଫର୍ ନ୍ୟୁକ୍ଲିଅର୍ ଡ୍ୟାମେଜ୍ ଆକ୍ଟ’ରେ ସଂଶୋଧନ ଆଣିବ।

ପରମାଣୁ ଶକ୍ତି ବିଭାଗର ରାଷ୍ଟ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ କହିଛନ୍ତି, ଏହି ବିଲ୍‌ ଭାରତକୁ ୨୦୪୭ ସୁଦ୍ଧା ୧୦୦ ଗିଗାୱାଟ୍‌ ଆଣବିକ କ୍ଷମତା ଲକ୍ଷ୍ୟ ହାସଲ କରିବାରେ ସାହାଯ୍ୟ କରିବ। ସେ ଏହାକୁ ଦେଶର ବିକାଶ ଯାତ୍ରାରେ ଏକ ‘ମାଇଲଖୁଣ୍ଟ ଆଇନ’ ବୋଲି ବର୍ଣ୍ଣନା କରିଛନ୍ତି। ଭୌଗୋଳିକ ରାଜନୀତିରେ ଭାରତର ଭୂମିକା ବଢ଼ୁଥିବାବେଳେ, ପରମାଣୁ ଶକ୍ତି କ୍ଷେତ୍ରରେ ବିଶ୍ୱସ୍ତରୀୟ ମାନଦଣ୍ଡ ଅନୁସରଣ ଆବଶ୍ୟକ ବୋଲି ସେ ଉଲ୍ଲେଖ କରିଛନ୍ତି।

ବିଲ୍‌ର ମୁଖ୍ୟ ବୈଶିଷ୍ଟ୍ୟ

  • ଘରୋଇ ଭାରତୀୟ କମ୍ପାନି, ସରକାରୀ-ଘରୋଇ ଯୁକ୍ତ ଉଦ୍ୟୋଗ ଏବଂ କେନ୍ଦ୍ର ଅନୁମୋଦିତ ସଂସ୍ଥାଗୁଡ଼ିକ ପରମାଣୁ କେନ୍ଦ୍ର ସ୍ଥାପନ, ପରିଚାଳନା ଓ ପରମାଣୁ ଇନ୍ଧନ ପରିବହନ ପାଇଁ ଲାଇସେନ୍ସ ନେଇପାରିବେ।
  • ଦୁର୍ଘଟଣା ଘଟିଲେ ରିଆକ୍ଟରର କ୍ଷମତା ଅନୁସାରେ ଅପରେଟରଙ୍କ କ୍ଷତିପୂରଣ ସୀମା ଧାର୍ଯ୍ୟ କରାଯିବ, ଯାହା ସର୍ବାଧିକ ୩,୦୦୦ କୋଟି ଟଙ୍କା ପର୍ଯ୍ୟନ୍ତ ହୋଇପାରିବ।
  • ପରମାଣୁ ଶକ୍ତି ନିୟନ୍ତ୍ରଣ ବୋର୍ଡ (AERB)କୁ ବୈଧାନିକ ମାନ୍ୟତା ମିଳିବ।
  • ବର୍ତ୍ତମାନ ପ୍ରାୟ ୮ ଗିଗାୱାଟ୍‌ ଥିବା ଭାରତର ପରମାଣୁ କ୍ଷମତାକୁ ୨୦୪୭ ସୁଦ୍ଧା ୧୦୦ ଗିଗାୱାଟ୍‌ କରିବା ଲକ୍ଷ୍ୟ ଧାର୍ଯ୍ୟ।
  • ସ୍ୱଚ୍ଛ ଶକ୍ତି, ନେଟ୍-ଜିରୋ ୨୦୭୦ ଲକ୍ଷ୍ୟ ଓ ଶିଳ୍ପ କ୍ଷେତ୍ରର ‘ବେସ୍‌ଲୋଡ୍ ପାୱାର’ ଆବଶ୍ୟକତା ପୂରଣରେ ବିଲ୍‌ ଗୁରୁତ୍ୱପୂର୍ଣ୍ଣ।

ବିଲ୍‌ ଉପରେ ଆଲୋଚନା ସମୟରେ ବିରୋଧୀ ଦଳମାନେ ଦାୟିତ୍ୱ ପ୍ରାବଧାନ ଓ ସୁରକ୍ଷା ଚିନ୍ତା ନେଇ ଉଦ୍ବେଗ ପ୍ରକାଶ କରି କକ୍ଷତ୍ୟାଗ କରିଥିଲେ। ତେବେ ସରକାରଙ୍କ ମତରେ, ଏହି ବିଲ୍‌ ନିବେଶ ବଢ଼ାଇବା ସହ ପରମାଣୁ ପ୍ରଯୁକ୍ତି କ୍ଷେତ୍ରରେ ଏକ ନୂତନ ଯୁଗର ଆରମ୍ଭ କରିବ।

ଏହାସହ ବୁଧବାର ସଂସଦରେ ‘ରିପିଲିଂ ଆଣ୍ଡ ଆମେଣ୍ଡିଂ ବିଲ୍‌, ୨୦୨୫’ ମଧ୍ୟ ଗୃହୀତ ହୋଇଛି। ଗତକାଲି ଲୋକସଭାରେ ଏବଂ ଆଜି ରାଜ୍ୟସଭାରେ ବାଚନିକ ଭୋଟ ମାଧ୍ୟମରେ ଏହି ବିଲ୍‌କୁ ଅନୁମୋଦନ ମିଳିଛି। ବିଲ୍‌ ଉପସ୍ଥାପନ କରି କେନ୍ଦ୍ରମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ କହିଛନ୍ତି, ପୁରୁଣା ଆଇନ ବିଲୋପ ଓ ତ୍ରୁଟି ସଂଶୋଧନ ମାଧ୍ୟମରେ ନାଗରିକଙ୍କ ଜୀବନକୁ ସହଜ କରିବା ଏହାର ମୂଳ ଉଦ୍ଦେଶ୍ୟ।