ନୂଆଦିଲ୍ଲୀ: ଲୋକସଭାରେ ପ୍ରଧାନମନ୍ତ୍ରୀଙ୍କ ଉତ୍ତର ଭାଷଣ ହୋଇନଥିବା ସତ୍ତ୍ୱେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଗୁରୁବାର ଭଏସ୍ ଭୋଟ୍ ମାଧ୍ୟମରେ ପାରିତ ହୋଇଛି। ୨୦୦୪ ପରେ ପ୍ରଥମ ଥର ପାଇଁ ଏପରି ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ସଂସଦୀୟ ମହଳରେ ଆଲୋଚନା ଚାଲିଛି।
ଗୃହରେ ଲଗାତାର ହଟ୍ଟଗୋଳ ଓ ବିରୋଧୀ ଦଳଙ୍କ ପ୍ରତିବାଦ ଯୋଗୁଁ ପ୍ରଧାନମନ୍ତ୍ରୀଙ୍କ ଭାଷଣ ସମ୍ଭବ ହୋଇନଥିଲା। ପୂର୍ବରୁ ୨୦୦୪ ମସିହାରେ ମଧ୍ୟ ଏଭଳି ଅବସ୍ଥାରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଆଲୋଚନାରେ ଯୋଗ ଦେଇପାରିନଥିଲେ।
ଗୁରୁବାର ଲୋକସଭା ବୈଠକ ଆରମ୍ଭ ହେବା ସହିତ ବିରୋଧୀ ସଦସ୍ୟମାନେ ପ୍ରତିବାଦ କରି ଗୃହମଧ୍ୟକୁ ଆସିଥିଲେ। ଏହାରେ ହଟ୍ଟଗୋଳ ବଢ଼ିବାରୁ ପ୍ରଥମେ ଗୃହକାର୍ଯ୍ୟ ଦିନ ୧୨ଟା ପର୍ଯ୍ୟନ୍ତ ସ୍ଥଗିତ ରହିଥିଲା। ପରେ ପୁଣି ବୈଠକ ଆରମ୍ଭ ହେଲେ ମଧ୍ୟ ପରିସ୍ଥିତି ସାମାନ୍ୟ ହୋଇନଥିଲା। ଏହି ମଧ୍ୟରେ ବାଚସ୍ପତି ଓମ ବିର୍ଲା ଧନ୍ୟବାଦ ପ୍ରସ୍ତାବକୁ ଭୋଟିଂ ପାଇଁ ରଖିଥିଲେ ଏବଂ ଏହା ଭଏସ୍ ଭୋଟ୍ରେ ଗୃହୀତ ହୋଇଥିଲା। ପରେ ଗୃହକାର୍ଯ୍ୟ ଅପରାହ୍ଣ ୨ଟା ପର୍ଯ୍ୟନ୍ତ ସ୍ଥଗିତ ହୋଇଥିଲା।
ଏହା ସହିତ ରାଜ୍ୟସଭାରେ ମଧ୍ୟ ତୀବ୍ର ତର୍କ–ବିତର୍କ ଦେଖିବାକୁ ମିଳିଥିଲା। କେନ୍ଦ୍ର ମନ୍ତ୍ରୀ ଜେ.ପି. ନଡ୍ଡାଙ୍କ ଏକ ମନ୍ତବ୍ୟକୁ ନେଇ ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡଗେ ଆପତ୍ତି ଉଠାଇଥିଲେ। ଦୁଇ ପକ୍ଷ ମଧ୍ୟରେ ତୀବ୍ର ବାକ୍ବିତଣ୍ଡା ହୋଇଥିଲା। ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ କହିଥିଲେ ଯେ, ନିୟମ ଅନୁଯାୟୀ ସମସ୍ତଙ୍କୁ କହିବା ସୁଯୋଗ ମିଳୁଛି।
ସୂଚନା ଅନୁସାରେ ପ୍ରଧାନମନ୍ତ୍ରୀ ଅପରାହ୍ଣରେ ରାଜ୍ୟସଭାରେ ଉତ୍ତର ଭାଷଣ ରଖିବେ।





