ନୂଆଦିଲ୍ଲୀ: Strait of Hormuz ଦେଇ ତେଲ ଓ ପ୍ରାକୃତିକ ଗ୍ୟାସ୍ ପରିବହନ ବାଧାପ୍ରାପ୍ତ ହେବା ପରେ ଭାରତରେ ଏଲ୍ପିଜି ଗ୍ୟାସ୍ ସଂକଟ ଗଭୀର ହୋଇଛି। ରନ୍ଧନ ଗ୍ୟାସ୍ର ଅଭାବ ଦେଶର ହୋଟେଲ ଓ ଖାଦ୍ୟ ବ୍ୟବସାୟ ଉପରେ ପ୍ରଭାବ ପକାଇବା ସହିତ ବିଭିନ୍ନ କାର୍ଯ୍ୟାଳୟର କ୍ୟାଫେଟାରିଆ ଓ କ୍ୟାଣ୍ଟିନ୍ଗୁଡ଼ିକୁ ମଧ୍ୟ ପ୍ରଭାବିତ କରୁଛି।
ଏହି ପରିସ୍ଥିତିରେ କିଛି ଅଗ୍ରଣୀ ଆଇଟି କମ୍ପାନୀ ତାଙ୍କ କ୍ୟାମ୍ପସରେ ଚାଲୁଥିବା ଖାଦ୍ୟ ୟୁନିଟ୍ଗୁଡ଼ିକୁ ସାମୟିକ ଭାବେ ବନ୍ଦ କରିବା ନେଇ କର୍ମଚାରୀଙ୍କୁ ସୂଚନା ଦେଇଛନ୍ତି। ଏହି କମ୍ପାନୀମାନଙ୍କ ମଧ୍ୟରେ Infosys, HCL Technologies ଓ Cognizant ଭଳି ସଂସ୍ଥା ରହିଛନ୍ତି। ଏମାନଙ୍କର Bengaluru, Chennai, Delhi ଓ Pune ଭଳି ସହରରେ ବଡ଼ ବଡ଼ କ୍ୟାମ୍ପସ୍ ଅଛି।
ସାଧାରଣତଃ ପ୍ରତ୍ୟେକ କ୍ୟାମ୍ପସରେ କର୍ମଚାରୀଙ୍କ ସୁବିଧା ପାଇଁ ଏକାଧିକ କ୍ୟାଫେଟାରିଆ ଚାଲିଥାଏ ଓ ଏଠାରେ ଖାଦ୍ୟ ପ୍ରସ୍ତୁତି ପାଇଁ ଏଲ୍ପିଜି ସିଲିଣ୍ଡର୍ ବ୍ୟବହୃତ ହୁଏ। କିନ୍ତୁ ଏବେର ଗ୍ୟାସ୍ ଅଭାବ ଦୃଷ୍ଟିରେ କମ୍ପାନୀମାନେ କ୍ୟାଫେଟାରିଆ ଚାଲୁ ରଖି କ୍ଷତି ବହନ କରିବାକୁ ଇଚ୍ଛୁକ ନୁହେଁ। ତେଣୁ କିଛି ସମୟ ପାଇଁ ସେଗୁଡ଼ିକୁ ବନ୍ଦ ରଖି ବିକଳ୍ପ ବ୍ୟବସ୍ଥା କରିବାକୁ କର୍ମଚାରୀଙ୍କୁ ପରାମର୍ଶ ଦିଆଯାଉଛି।
ସୂଚନା ଅନୁସାରେ Infosys ଏହାର କ୍ୟାଫେଟାରିଆ ବନ୍ଦ ହେବା ସମ୍ପର୍କରେ କର୍ମଚାରୀଙ୍କୁ ନୋଟିସ୍ ପଠାଇଛି। ଏହାସହ HCL Technologies କର୍ମଚାରୀଙ୍କ ସୁବିଧା ଭାବି ‘ୱାର୍କ ଫ୍ରମ୍ ହୋମ୍’ ବ୍ୟବସ୍ଥାକୁ ପୁନର୍ବାର ଲାଗୁ କରିଛି।
ଏପରିକି Cognizant ପକ୍ଷରୁ କର୍ମଚାରୀଙ୍କୁ ଘରୁ ଟିଫିନ୍ ଆଣିବାକୁ ପରାମର୍ଶ ଦିଆଯାଇଛି। ଗ୍ୟାସ୍ ସଂକଟ ଚାଲିଥିବା ପର୍ଯ୍ୟନ୍ତ ଏହି ବ୍ୟବସ୍ଥା ଚାଲୁ ରହିପାରେ ବୋଲି କମ୍ପାନୀମାନେ ସୂଚନା ଦେଇଛନ୍ତି।





