ଭୁବନେଶ୍ୱର: ମହାନଦୀ ଜଳ ବିବାଦକୁ ସ୍ଥାୟୀ ସମାଧାନ କରିବା ପାଇଁ ଛତିଶଗଡର ରାୟପୁରରେ ଗୁରୁବାର ଏକ ରାଉଣ୍ଡ ଟେବୁଲ ବୈଠକ ଅନୁଷ୍ଠିତ ହେବ। ବୈଠକ ପରେ ଆସନ୍ତା ୨୯ ଅଗଷ୍ଟରେ ଛତିଶଗଡ ସରକାରଙ୍କ ପଦାଧିକାରୀଙ୍କ ସହିତ ବିସ୍ତୃତ ଆଲୋଚନା ହେବାର କଥା ରହିଛି। ବୈଠକର ଅଧ୍ୟକ୍ଷତା ‘ଜଳମାନବ’ ଭାବରେ ପରିଚିତ ଡ. ରାଜେନ୍ଦ୍ର ସିଂ କରିବେ।
ମହାନଦୀ ବଞ୍ଚାଅ ଆନ୍ଦୋଳନର ଆବାହକ ସୁଦର୍ଶନ ଦାସଙ୍କ ନେତୃତ୍ୱରେ ବାସୁଦେବ ଭଟ୍ଟ, ବିଜୟ ପ୍ରଧାନ, ସଚ୍ଚି ପ୍ରଧାନ, ଅଶୋକ ପ୍ରଧାନ ଓ ଅର୍ଜୁନ ଚରଣ ସାମନ୍ତରାୟଙ୍କୁ ନେଇ ଏକ ପ୍ରତିନିଧି ଦଳ ବୁଧବାର ଟ୍ରେନ୍ରେ ରାୟପୁର ପହଞ୍ଚିଛି।
ଏହି ବୈଠକଟିକୁ ମହାନଦୀ ବଞ୍ଚାଅ ଆନ୍ଦୋଳନ, ଛତିଶଗଡ ନଦୀ ଘାଟି ମୋର୍ଚ୍ଚା ଓ ରାଷ୍ଟ୍ରୀୟ ଜଳ ସହଯୋଗୀ ସହିତ କିଛି ଅନ୍ୟାନ୍ୟ ସଂଗଠନ ମିଶିତିଭାବରେ ଆୟୋଜନ କରୁଛନ୍ତି। ମହାନଦୀ ଉଭୟ ଓଡ଼ିଶା ଓ ଛତିଶଗଡ ପାଇଁ ଜୀବନରେଖା ସ୍ୱରୂପ, ଯାହା ୯୦୦ କିଲୋମିଟର ଯାତ୍ରା କରି ସମୁଦ୍ରକୁ ପ୍ରବେଶ କରେ।
ବିଶେଷଜ୍ଞମାନଙ୍କ କହିବା ଅନୁସାରେ, ଅଣମୋସୁମୀ ସମୟରେ ଜଳ ଉପଲବ୍ଧତା ହ୍ରାସ, ଶିଳ୍ପାୟନର ଚାପ ଏବଂ ନଦୀର ଇକୋସିଷ୍ଟମରେ ବଢ଼ୁଥିବା ସଙ୍କଟ, ଉଭୟ ରାଜ୍ୟରେ ସମସ୍ୟାକୁ ଗଭୀର କରିଛି। ଏହି କାରଣରୁ ବର୍ଷକାଳୀନ ଜଳ ବଣ୍ଟନ ନେଇ ଦୁଇଟି ରାଜ୍ୟ ମଧ୍ୟରେ ବିବାଦ ଚାଲିଆସୁଛି।
ବୈଠକଟି ରାୟପୁରର ମାୟାରାମ ସୁରଜନ ଲୋକାୟନ ହଲ୍, ରାଜବନ୍ଧ ମଇଦାନରେ ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ହେବ। ଏହି ଆଲୋଚନାରେ ସୁସମ ଜଳ ବଣ୍ଟନ, ନଦୀର ନିରନ୍ତର ପ୍ରବାହ, ଇକୋସିଷ୍ଟମ ସୁରକ୍ଷା ଏବଂ ଜଳ ବିବାଦର ସ୍ଥାୟୀ ସମାଧାନ ପାଇଁ ପ୍ରସ୍ତାବ ଗଠିତ ହେବ।