ନୂଆଦିଲ୍ଲୀ: ସ୍ବତନ୍ତ୍ର ଭୋଟର ତାଲିକା ସଂଶୋଧନ (ଏସ୍‌ଆଇଆର) ପ୍ରସଙ୍ଗରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ଟିଏମ୍‌ସିର ଏକ ପ୍ରତିନିଧି ଦଳ ଆଜି ନୂଆଦିଲ୍ଲୀ ସ୍ଥିତ ନିର୍ବାଚନ ଆୟୋଗ ମୁଖ୍ୟାଳୟରେ ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାରଙ୍କୁ ଭେଟିଛନ୍ତି। ବୈଠକ ପରେ ମମତା ବାନାର୍ଜୀ ନିର୍ବାଚନ ଆୟୋଗର କାର୍ଯ୍ୟପ୍ରଣାଳୀକୁ କଡା ଭାବେ ସମାଲୋଚନା କରିଛନ୍ତି।

ଗଣମାଧ୍ୟମ ସମ୍ମୁଖରେ ପ୍ରତିକ୍ରିୟା ଦେଇ ମମତା କହିଛନ୍ତି ଯେ, ସେ ଦୀର୍ଘ ବର୍ଷ ଧରି ରାଜନୀତିରେ ଅଛନ୍ତି, କିନ୍ତୁ ଏପରି ଅହଙ୍କାରୀ ନିର୍ବାଚନ କମିସନର କେବେ ଦେଖିନାହାନ୍ତି। ସେ ସିଇସିଙ୍କୁ ଅହଙ୍କାରୀ ଓ ମିଛୁଆ ବୋଲି ଅଭିହିତ କରିଥିବା କଥା କହିଛନ୍ତି।

ମମତା ବାନାର୍ଜୀ ଅଭିଯୋଗ କରିଛନ୍ତି ଯେ, ନିର୍ବାଚନ ଆୟୋଗ ପକ୍ଷପାତମୂଳକ ନୀତି ଅନୁସରଣ କରୁଛି ଏବଂ ବିଜେପିର ଆଇଟି ସେଲ୍‌ ପରି କାମ କରୁଛି। ଏସ୍‌ଆଇଆର ପ୍ରକ୍ରିୟା ସମୟରେ ବୁଥ୍‌ ସ୍ତରୀୟ ଅଧିକାରୀମାନଙ୍କ ଉପରେ ଚାପ ପକାଯାଇଥିବା ଅଭିଯୋଗ ମଧ୍ୟ ସେ ଉଠାଇଛନ୍ତି।

ତାଙ୍କ କହିବା ଅନୁସାରେ, ପଶ୍ଚିମବଙ୍ଗରେ ଭୋଟର ତାଲିକାରୁ ଜାଣିଶୁଣି ଅନେକ ମତଦାତାଙ୍କ ନାମ କାଟି ଦିଆଯାଇଛି। ଏସ୍‌ଆଇଆର ପ୍ରକ୍ରିୟାର ଅପବ୍ୟବହାର ହୋଇଥିବା ସହ ବୁଥ୍‌ ସ୍ତରୀୟ କର୍ମଚାରୀମାନେ ଚାପରେ କାମ କରୁଥିବା ମଧ୍ୟ ସେ ଦାବି କରିଛନ୍ତି।