ନବରଙ୍ଗପୁର: ମା’ ଓ ଶିଶୁର ସ୍ୱାସ୍ଥ୍ୟ ସୁରକ୍ଷା, ପୁଷ୍ଟିସାଧନ ବୃଦ୍ଧି, କୁପୋଷଣ ଓ ରକ୍ତହୀନତା ହ୍ରାସ ସହ ମାତୃ–ଶିଶୁ ମୃତ୍ୟୁହାର କମାଇବା ଲକ୍ଷ୍ୟରେ ରାଜ୍ୟ ସରକାରଙ୍କ ‘ମମତା’ ଓ କେନ୍ଦ୍ର ସରକାରଙ୍କ ‘ପ୍ରଧାନମନ୍ତ୍ରୀ ମାତୃ ବନ୍ଦନା’ ଯୋଜନାକୁ ଏକତ୍ର କରି ‘ମମତା–ପ୍ରଧାନମନ୍ତ୍ରୀ ମାତୃ ବନ୍ଦନା’ ଯୋଜନା କାର୍ଯ୍ୟକାରୀ ହୋଇଛି। ଏହି ଯୋଜନା ଅଧୀନରେ ଝିଅ ଜନ୍ମ ହେଲେ ୧୨ ହଜାର ଟଙ୍କା ଓ ପୁଅ ଜନ୍ମ ହେଲେ ୧୦ ହଜାର ଟଙ୍କା ମା’ମାନଙ୍କୁ ପ୍ରଦାନ କରାଯାଉଛି।
ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଦେୈପଦୀ କହଁର ଓ ଯୋଜନା ଜିଲ୍ଲା ସଂଯୋଜକ ବିଶ୍ୱଜିତ ମହାନ୍ତିଙ୍କ ସୂଚନା ଅନୁଯାୟୀ, ଜିଲ୍ଲାରେ ସମୁଦାୟ ୧୭,୧୧୦ ଜଣ ଗର୍ଭବତୀ ମହିଳା ପଞ୍ଜୀକୃତ ହୋଇଥିବାବେଳେ ୧୧,୪୭୪ ଜଣଙ୍କୁ ଯୋଗ୍ୟ ବିବେଚନା କରାଯାଇଛି। ଅନ୍ୟପଟେ ୫,୬୩୬ ଜଣ ଅଯୋଗ୍ୟ ଠହରାଯାଇଛନ୍ତି।
ବ୍ଲକ୍ ଭିତ୍ତିକ ତଥ୍ୟ ଅନୁସାରେ ଉମରକୋଟ ବ୍ଲକରେ ସର୍ବାଧିକ ୨,୬୨୨ ଜଣ ପଞ୍ଜୀକରଣ କରିଥିବାବେଳେ ୧,୭୫୯ ଜଣ ପ୍ରଥମ କିସ୍ତି ଓ ୧,୦୦୬ ଜଣ ଦ୍ୱିତୀୟ କିସ୍ତି ପାଇଛନ୍ତି। ଚନ୍ଦାହାଣ୍ଡି ବ୍ଲକରେ ୧,୧୬୮ ମଧ୍ୟରୁ ୮୨୦ ଯୋଗ୍ୟ ମା’ ପ୍ରଥମ କିସ୍ତି ଓ ୫୧୭ ଜଣ ଦ୍ୱିତୀୟ କିସ୍ତି ନେଇଛନ୍ତି। ଡାବୁଗାଁରେ ୧,୦୬୬ ମଧ୍ୟରୁ ୬୬୨ ଯୋଗ୍ୟ, ଝରିଗାଁରେ ୨,୦୯୬ ମଧ୍ୟରୁ ୧,୪୦୧, କୋଷାଗୁମୁଡାରେ ୨,୨୮୨ ମଧ୍ୟରୁ ୧,୪୮୨, ନବରଙ୍ଗପୁର ବ୍ଲକରେ ୧,୩୧୬ ମଧ୍ୟରୁ ୯୫୮, ନନ୍ଦାହାଣ୍ଡିରେ ୯୪୫ ମଧ୍ୟରୁ ୬୬୩, ପାପଡାହାଣ୍ଡିରେ ୧,୯୭୦ ମଧ୍ୟରୁ ୧,୨୯୫, ରାଇଘରରେ ୨,୪୭୮ ମଧ୍ୟରୁ ୧,୬୫୯ ଏବଂ ତେନ୍ତୁଳିଖୁଣ୍ଟି ବ୍ଲକରେ ୧,୧୬୭ ମଧ୍ୟରୁ ୭୭୦ ଜଣ ଯୋଗ୍ୟ ବିବେଚିତ ହୋଇ ପ୍ରଥମ କିସ୍ତି ନେଇଛନ୍ତି।
ସମଗ୍ର ଜିଲ୍ଲାରେ ୧୧,୪୭୪ ଜଣ ମା’ ପ୍ରଥମ କିସ୍ତି ଓ ୭,୨୮୦ ଜଣ ଦ୍ୱିତୀୟ କିସ୍ତି ପାଇଥିବାବେଳେ ୪,୧୯୪ ଜଣ ଦ୍ୱିତୀୟ କିସ୍ତି ନେଇନଥିବା ଜଣାପଡ଼ିଛି। ଏନେଇ ସମସ୍ତ ୧୦ଟି ବ୍ଲକର ସିଡିପିଓ ଓ ସୁପରଭାଇଜରଙ୍କୁ ରିପୋର୍ଟ ଦେବାକୁ କୁହାଯାଇଛି।
ଯୋଜନା ଅନୁଯାୟୀ, ଗର୍ଭଧାରଣର ୩ ମାସ ମଧ୍ୟରେ ୬ ହଜାର ଟଙ୍କା ଦିଆଯାଉଥିବାବେଳେ ଝିଅ ଜନ୍ମ ହେଲେ ଅତିରିକ୍ତ ୬ ହଜାର ଓ ପୁଅ ଜନ୍ମ ହେଲେ ୪ ହଜାର ଟଙ୍କା ପ୍ରଦାନ କରାଯାଉଛି। ଆଦିମ ଜନଜାତି (ପିଭିଟିଜି) ବର୍ଗର ମହିଳାମାନେ ପ୍ରଥମ ଦୁଇଟି ସନ୍ତାନ ପରେ ମଧ୍ୟ ଏହି ସହାୟତା ପାଇପାରିବେ, ଯେଉଁଠାରେ ଅନ୍ୟ ବର୍ଗରେ ଦୁଇଟି ସନ୍ତାନ ପରେ ଯୋଜନାର ଲାଭ ମିଳିବ ନାହିଁ।
ଯୋଜନାର ସମୀକ୍ଷା କରି ଜିଲ୍ଲାପାଳ ଡ. ମହେଶ୍ୱର ସ୍ୱାଇଁ ଯୋଗ୍ୟ ମହିଳା କୌଣସିଭଳି ବାଦ୍ ପଡ଼ିବେ ନାହିଁ ବୋଲି ନିର୍ଦ୍ଦେଶ ଦେଇଥିବା ସହ ଅଭିଯୋଗ ଆସିଲେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସଚେତନ କରାଇଛନ୍ତି।





