ଇମ୍ଫାଲ: ମଣିପୁରର ଜାତିଗତ ହିଂସା ସହ ଜଡିତ ଏକ ହୃଦୟବିଦାରକ ଘଟଣାରେ, ୨୦୨୩ ମେ’ ମାସରେ ଗଣଦୁଷ୍କର୍ମର ଶିକାର ହୋଇଥିବା ଜଣେ କୁକି ଯୁବତୀ ଚଳିତ ମାସରେ ଚୁରାଚାନ୍ଦପୁର ଜିଲ୍ଲାର ଏକ ସରକାରୀ ହସ୍ପିଟାଲରେ ପରଲୋକ ପ୍ରାପ୍ତ କରିଛନ୍ତି। ପରିବାର ପକ୍ଷରୁ ରବିବାର ଏହି ସୂଚନା ଦିଆଯାଇଛି।
ପରିବାର ସୂତ୍ର ଅନୁସାରେ, ଗଣଦୁଷ୍କର୍ମ ଓ ନିର୍ଯାତନା ପରେ ପୀଡ଼ିତା ଦୀର୍ଘ ତିନି ବର୍ଷ ଧରି ଶାରୀରିକ ଓ ମାନସିକ ଆଘାତ ସହ ଲଢ଼ି ଆସୁଥିଲେ। ବାରମ୍ବାର ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଉଥିଲା ଓ ବିଭିନ୍ନ ପ୍ରକାର ସ୍ୱାସ୍ଥ୍ୟ ସମସ୍ୟା ତାଙ୍କୁ ପୀଡ଼ା ଦେଉଥିଲା। ପୀଡ଼ିତା ଗଭୀର ମାନସିକ ଅବସାଦରେ ଥିବା କଥା ତାଙ୍କ ମା’ କହିଛନ୍ତି।
ଘଟଣା ସମୟରେ ପୀଡ଼ିତାଙ୍କୁ ମାତ୍ର ୧୮ ବର୍ଷ ବୟସ ହୋଇଥିଲା। ସେ ଇମ୍ଫାଲର ଏକ ବ୍ୟୁଟି ସାଲୋନରେ କାମ କରୁଥିଲେ। ୨୦୨୩ ମେ’ ୧୫ ତାରିଖରେ ଇମ୍ଫାଲର ଏକ ଏଟିଏମ୍ କିଓସ୍କ ନିକଟରୁ ତାଙ୍କୁ ଏକ କାର୍ରେ ଅପହରଣ କରାଯାଇଥିଲା। ପରେ ବିଷ୍ଣୁପୁର ଜିଲ୍ଲାର ଏକ ପାହାଡ଼ ଅଞ୍ଚଳକୁ ନେଇ ତାଙ୍କୁ ନିର୍ଯାତନା ଦିଆଯିବା ସହ ଗଣଦୁଷ୍କର୍ମ କରାଯାଇଥିଲା।
ପୀଡ଼ିତା କୌଣସି ପ୍ରକାରେ ସେଠାରୁ ପଳାଇ ଆସି ଜୀବନ ବଞ୍ଚାଇଥିଲେ। ଘଟଣା ପରେ ତାଙ୍କୁ ମଣିପୁର, ଆସାମ ଓ ନାଗାଲାଣ୍ଡର ବିଭିନ୍ନ ହସ୍ପିଟାଲରେ ଚିକିତ୍ସା କରାଯାଇଥିଲା। ଗତ କିଛି ଦିନ ପୂର୍ବେ ଘରେ ହଠାତ୍ ଅସୁସ୍ଥ ହୋଇପଡ଼ିବା ପରେ ତାଙ୍କୁ ଚୁରାଚାନ୍ଦପୁରର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଜାନୁଆରି ୧୧ ତାରିଖରେ ତାଙ୍କ ମୃତ୍ୟୁ ହୋଇଥିବା ପରିବାର ସୂଚନା ଦେଇଛି।
ଏହି ଘଟଣା ସମ୍ପର୍କରେ ସେତେବେଳେ ଦାଖଲ ହୋଇଥିବା ଏତଲାରେ କୁହାଯାଇଥିଲା ଯେ, ପୀଡ଼ିତାଙ୍କୁ ଅପହରଣ ପରେ ନିର୍ଦ୍ଦୟ ଭାବେ ପିଟାଯାଇଥିଲା ଓ ପରେ ଏକ ପାହାଡ଼ିଆ ଅଞ୍ଚଳରେ ନିର୍ଯାତନାର ଶିକାର କରାଯାଇଥିଲା। ପାହାଡ଼ରୁ ଖସି ପଡ଼ିବା ପରେ ସେ ଜଣେ ଅଟୋଚାଳକଙ୍କ ସହାୟତାରେ ଇମ୍ଫାଲକୁ ପହଞ୍ଚିପାରିଥିଲେ।
ପୀଡ଼ିତାଙ୍କ ମୃତ୍ୟୁ ପୁନର୍ବାର ମଣିପୁର ହିଂସା ସମୟରେ ଘଟିଥିବା ନାରୀ ଉପରେ ନିର୍ଯାତନା ଓ ନ୍ୟାୟ ପ୍ରକ୍ରିୟାର ଗତିକୁ ନେଇ ଗମ୍ଭୀର ପ୍ରଶ୍ନ ଉଠାଇଛି।





