ମାଲକାନଗିରି, 20 ଅଗଷ୍ଟ: ଛତିଶଗଡ଼ର କୋଣ୍ଡାଗାଓଁ ଜିଲ୍ଲାରେ ଦୁର୍ଦ୍ଦାନ୍ତ ମାଓ ଦମ୍ପତିଙ୍କ ସମେତ ୪ ଜଣ ନକ୍ସଲ ପୋଲିସଙ୍କ ସମ୍ମୁଖରେ ଆତ୍ମସମର୍ପଣ କରିଛନ୍ତି। ସେମାନଙ୍କ ମୁଣ୍ଡରେ ମୋଟ ୨୨ ଲକ୍ଷ ଟଙ୍କାର ପୁରସ୍କାର ଘୋଷିତ ଥିଲା।
ଏସପି ବି.ଏଇ. ଅକ୍ଷୟ କୁମାରଙ୍କ ସମ୍ମୁଖରେ ଆତ୍ମସମର୍ପଣ କରିଥିବାମାନେ ହେଲେ—ଲକ୍ଷମ କରାମ (୮ ଲକ୍ଷ), ପତ୍ନୀ ମାଡୋ ଅଲିଆସ୍ ଜରିନା (୫ ଲକ୍ଷ), ସୁଖରାମ (୮ ଲକ୍ଷ) ଓ ବୁଦ୍ଧୁରାମ (୧ ଲକ୍ଷ)।
ମାଓ ଦମ୍ପତି ପୋଲିସଙ୍କୁ କହିଛନ୍ତି ଯେ, ସଂଗଠନରେ ରହିବା ସମସ୍ୟାଜନକ ହୋଇଯାଇଥିବାରୁ ସେମାନେ ଜୀବନର ସୁରକ୍ଷା ନିମନ୍ତେ ଆତ୍ମସମର୍ପଣ କରିଛନ୍ତି। ସୁଖରାମ ମାଓ ସଂଗଠନରେ ଡାକ୍ତର ଭାବେ କାମ କରୁଥିଲେ ଏବଂ ଜଙ୍ଗଲରେ ନକ୍ସଲମାନଙ୍କୁ ଚିକିତ୍ସା ସୁବିଧା ଯୋଗାଇ ଆସୁଥିଲେ।
ପୋଲିସ କହିଛି, ସେମାନେ ବହୁ ହିଂସାକାଣ୍ଡରେ ଜଡିତ ଥିଲେ। ଆତ୍ମସମର୍ପଣ ପରେ ସେମାନଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଦିଆଯିବା ସହିତ ଆଗାମୀଦିନରେ ସ୍ୱାବଳମ୍ବୀ କରାଯିବ। ପୋଲିସଙ୍କୁ ସେମାନେ ବହୁ ଗୁରୁତ୍ୱପୂର୍ଣ୍ଣ ସୂଚନା ମଧ୍ୟ ଦେଇଛନ୍ତି।