ରାଇପୁର, ୫ ଜୁଲାଇ: ଛତିଶଗଡ଼ର ବିଜାପୁର ଜିଲ୍ଲାରେ ମାଓବାଦୀ ହିଂସା ପୁଣି ଚିନ୍ତା ଓ ଭୟର ପରିବେଶ ସୃଷ୍ଟି କରିଛି। ମାଓବାଦୀମାନେ ପୂର୍ବତନ ସରପଞ୍ଚ ବିଜୟ ଜଓ୍ୱାଙ୍କୁ ଘରୁ ଡାକି ନେଇ ତାଙ୍କର ଗଳା କାଟି ହତ୍ୟା କରିଛନ୍ତି। ଏହି ଅମାନବୀୟ ଘଟଣା ମୋଦକାପାଲ ଥାନା ଅଧୀନ ଚିନ୍ନାକୋଡେପାଲ ଗାଁରେ ଘଟିଛି। ଘଟଣା ପରେ ମାଓବାଦୀମାନେ ଶବକୁ ଗାଁ ମଧ୍ୟରେ ଛାଡ଼ି ଚାଲିଗଲେ।

ଏହି ମାନବତା ବିରୋଧୀ କାଣ୍ଡ ମାଓବାଦୀ ଅସ୍ତିତ୍ୱକୁ ନଶ୍ଟ କରିବାକୁ ଚାଲିଥିବା ‘ମାଓମୁକ୍ତ ଭାରତ’ ଅପରେସନ ପାଇଁ ଏକ ଚ୍ୟାଲେଞ୍ଜ ରୂପେ ଦେଖାଯାଇଛି। ମୋଦୀ ସରକାର ୨୦୨୬ ମାର୍ଚ୍ଚ ୩୧ ସୁଦ୍ଧା ଭାରତକୁ ମାଓ ଓ ନକ୍ସଲ ମୁକ୍ତ କରିବା ଲକ୍ଷ୍ୟ ରଖି ଅପରେସନ ଚଲାଉଛନ୍ତି। ଓଡିଶା, ଛତିଶଗଡ, ଝାଡ଼ଖଣ୍ଡ ଓ ଆନ୍ଧ୍ରପ୍ରଦେଶ ସୀମାରେ ମାଓବାଦୀ ବିରୋଧରେ ତୀବ୍ର ଅଭିଯାନ ଚାଲୁଛି।

ପ୍ରଧାନମନ୍ତ୍ରୀ ମୋଦୀ ଓ ଗୃହମନ୍ତ୍ରୀ ଅମିତ ଶାହ ପୂର୍ବରୁ ଘୋଷଣା କରିଥିଲେ ଯେ, ଏହି ଅଭିଯାନର ଉଦ୍ଦେଶ୍ୟ ହେଉଛି ମୂଳପୋଛ ହେବା ନକ୍ସଲ ହିଂସା, ଏବଂ ଆଦିବାସୀ ଅଞ୍ଚଳରେ ବିକାଶ ଆଣିବା। ଅନେକ ମାଓବାଦୀ ଅସ୍ତ୍ର ଛାଡି ଆତ୍ମସମର୍ପଣ କରୁଥିବା ବେଳେ, କିଛି ମାଓବାଦୀ ଏବେ ମଧ୍ୟ ଦାନ୍ତ ଖସାଇ ମାନବିକତା ଭୁଲି ଆତଙ୍କ ଦେଖାଉଛନ୍ତି।

ସରକାର କହିଛି, ମାଓ ଓ ନକ୍ସଲ ଦଳ ସଦସ୍ୟମାନେ ଯଦି ଅସ୍ତ୍ର ଛାଡି ମୁଖ୍ୟ ସ୍ରୋତରେ ଆସିବେ ତେବେ ତାଙ୍କୁ ସ୍ୱାଗତ କରାଯିବ, ନହେଲେ ଅପରେସନ ଜରିଆରେ ସେମାନଙ୍କୁ ନିପାତ କରାଯିବ।