ମାଲକାନଗିରି/ରାୟପୁର: ନକ୍ସଲ ଆତ୍ମସମର୍ପଣର ଶେଷ ଦିନରେ ଛତିଶଗଡ଼ର ବିଭିନ୍ନ ଜିଲ୍ଲାରେ ମୋଟ ୩୩ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଏହି ଅଭିଯାନ ସମୟରେ ସୁରକ୍ଷାବାହିନୀ ମାଓବାଦୀଙ୍କ ଡମ୍ପରୁ ୧୪ କୋଟି ଟଙ୍କାରୁ ଅଧିକ ମୂଲ୍ୟର ସମ୍ପତ୍ତି ଜବତ କରିଥିବା ସୂଚନା ମିଳିଛି।

ବିଜାପୁର ଜିଲ୍ଲାରେ ସବୁଠାରୁ ଅଧିକ ୨୫ ଜଣ ମାଓବାଦୀ ଆତ୍ମସମର୍ପଣ କରିଥିବା ବେଳେ, ସେମାନଙ୍କ ମଧ୍ୟରୁ ୧୬ ଜଣ ମହିଳା କ୍ୟାଡର ଥିବା ଜଣାପଡ଼ିଛି। ସେମାନେ ପୁଲିସଙ୍କୁ ୯୩ଟି ଅସ୍ତ୍ର ହସ୍ତାନ୍ତର କରିଛନ୍ତି, ଯାହାରେ ୪ଟି ଏକେ-୪୭ ଓ ୯ଟି ଏସଏଲଆର ବନ୍ଧୁକ ରହିଛି।

ଏହା ସହିତ, ମାଓବାଦୀଙ୍କ ଲୁଚାଇ ରଖିଥିବା ଡମ୍ପରୁ ୨ କୋଟି ୯୦ ଲକ୍ଷ ଟଙ୍କା ନଗଦ ଓ ପ୍ରାୟ ୭ କିଲୋ ୨୦୦ ଗ୍ରାମ ସୁନା ଉଦ୍ଧାର କରାଯାଇଛି। ଏହି ସୁନାର ବର୍ତ୍ତମାନୀନ ମୂଲ୍ୟ ପ୍ରାୟ ୧୧ କୋଟି ୧୬ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି।

ସେହିପରି, ଦନ୍ତେୱାଡ଼ା ଜିଲ୍ଲାରେ ୫ ଜଣ ମାଓବାଦୀ ଆତ୍ମସମର୍ପଣ କରି ୮ଟି ଏସଏଲଆର ବନ୍ଧୁକ ଦେଇଛନ୍ତି। ସୁକମା ଜିଲ୍ଲାରେ ୨ ଜଣ କ୍ୟାଡର ଏକ ଏଲଏମଜି, ୨ଟି ଏକେ-୪୭ ସହିତ ୧୦ ଲକ୍ଷ ଟଙ୍କା ନଗଦ ହସ୍ତାନ୍ତର କରିଛନ୍ତି। ନାରାୟଣପୁର ଜିଲ୍ଲାରେ ମଧ୍ୟ ଜଣେ ମାଓବାଦୀ ଏକ ଏଲଏମଜି ସହ ଆତ୍ମସମର୍ପଣ କରିଛନ୍ତି।

ସୁରକ୍ଷାବାହିନୀଙ୍କ ଏହି ଅଭିଯାନକୁ ମାଓବାଦୀ ବିରୋଧୀ ଅଭିଯାନରେ ଏକ ବଡ଼ ସଫଳତା ବୋଲି ଦେଖାଯାଉଛି।