ତେହେରାନ/ୱାସିଂଟନ/ନୂଆଦିଲ୍ଲୀ: ପଶ୍ଚିମ ଏସିଆରେ ତିବ୍ର ହେଉଥିବା ଯୁଦ୍ଧ ପରିସ୍ଥିତି ଦୁନିଆକୁ ନୂତନ ସଂକଟ ଦିଗକୁ ଆଣିଛି। ଆମେରିକା ଓ ଇରାନ ମଧ୍ୟରେ ଯୁଦ୍ଧବିରତି ପାଇଁ ଚାଲିଥିବା କୂଟନୈତିକ ଚେଷ୍ଟା ବିଫଳ ହେଲେ ଲମ୍ବା ସମୟର ଯୁଦ୍ଧ ହେବା ନିଶ୍ଚିତ ବୋଲି ସାମରିକ ବିଶେଷଜ୍ଞମାନେ ସତର୍କ କରିଛନ୍ତି।
ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି ବିଭିନ୍ନ ଦେଶ ଓ ଅନ୍ତର୍ଜାତୀୟ ସଂଗଠନ ଜରୁରୀ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଇରାନର ଇସ୍ଲାମିକ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ (IRGC) ଦ୍ୱାରା ହର୍ମୁଜ ପ୍ରଣାଳୀରେ ବାଧା ସୃଷ୍ଟି ହେବାରୁ ବିଶ୍ୱର ପ୍ରାୟ ୨୦% ତୈଳ ଓ ଏଲଏନଜି ଯୋଗାଣ ପ୍ରଭାବିତ ହୋଇଛି। ଏହା ଫଳରେ ତୈଳ ମୂଲ୍ୟ ବୃଦ୍ଧି ସହ ଦୀର୍ଘ ସମୟ ପର୍ଯ୍ୟନ୍ତ ଅଭାବ ସୃଷ୍ଟି ହେବାର ଆଶଙ୍କା ବଢ଼ିଛି।
ଏହା ସହିତ ସମୁଦ୍ର ତଳରେ ଥିବା ଫାଇବର-ଅପ୍ଟିକ୍ କେବଲ୍ଗୁଡ଼ିକ ଉପରେ ମଧ୍ୟ ବିପଦ ବଢ଼ିଛି। ଏହି କେବଲ୍ ମାଧ୍ୟମରେ ବିଶ୍ୱର ପ୍ରାୟ ୯୫% ଇଣ୍ଟରନେଟ୍ ଟ୍ରାଫିକ୍ ଚାଲେ। ଯଦି ଏଗୁଡ଼ିକ କ୍ଷତିଗ୍ରସ୍ତ ହୁଏ, ତେବେ ବ୍ୟାଙ୍କିଙ୍ଗ୍, ଷ୍ଟକ୍ ମାର୍କେଟ୍, ହସ୍ପିଟାଲ୍ ସେବା, ଏଆଇ ପ୍ରଣାଳୀ ଓ ସାଧାରଣ ଇଣ୍ଟରନେଟ୍ ସେବାରେ ଭୟାବହ ବାଧା ସୃଷ୍ଟି ହୋଇପାରେ।
ଏହି ସମ୍ଭାବ୍ୟ ସଂକଟକୁ ମୁକାବିଲା ପାଇଁ ଭାରତ ସହିତ ଅନେକ ଦେଶ ବିକଳ୍ପ ଶକ୍ତି ଉତ୍ସ ଖୋଜୁଛନ୍ତି। ଭାରତ ରୁଷ୍, ଆମେରିକା ଓ ଅନ୍ୟ ଦେଶରୁ ତୈଳ, ଏଲପିଜି ଓ ଏଲଏନଜି ଆମଦାନି ବଢ଼ାଇଛି। ୟୁରୋପୀୟ ଦେଶମାନେ ମଧ୍ୟ ଏଲଏନଜି ଆମଦାନି ବଢ଼ାଇବା ସହ ନିଜର ସଂରକ୍ଷିତ ଭଣ୍ଡାର ବ୍ୟବହାର କରୁଛନ୍ତି।
ଏପରିସ୍ଥିତିରେ, କୂଟନୈତିକ ପ୍ରୟାସ ବିଫଳ ହେଲେ ଆମେରିକା ଇରାନରେ ସ୍ଥଳସେନା ପଠାଇବା ପାଇଁ ଯୋଜନା କରୁଥିବା ଖବର ମିଳିଛି। ଗଲ୍ଫ ଦେଶଗୁଡ଼ିକ ନିଜର ସୁରକ୍ଷା ବ୍ୟବସ୍ଥାକୁ ମଜବୁତ କରୁଥିବା ବେଳେ ବିଶ୍ୱର ବଡ଼ ଟେକ୍ କମ୍ପାନୀମାନେ ବିକଳ୍ପ ଇଣ୍ଟରନେଟ୍ ରୁଟ୍ ବିକାଶ କରିବାରେ ବ୍ୟସ୍ତ ହୋଇପଡ଼ିଛନ୍ତି।
ଏହି ସମୟରେ ପାକିସ୍ତାନ, ତୁର୍କୀ ଓ ଇଜିପ୍ଟ ଯୁଦ୍ଧବିରତି ପାଇଁ ମଧ୍ୟସ୍ଥତା କରୁଥିବା ବେଳେ ଜି-୭ ଦେଶମାନେ ଶୀଘ୍ର ସମାଧାନ ପାଇଁ ଆହ୍ବାନ ଜାରି ରଖିଛନ୍ତି।





