ୱାସିଂଟନ, ୩୧।୧: ଆମେରିକାର କୁଖ୍ୟାତ ଯେৗନ ଅପରାଧୀ ଜେଫ୍ରି ଏପଷ୍ଟାଇନ ସମ୍ବନ୍ଧୀୟ ସଦ୍ୟ ପ୍ରକାଶିତ ଡକ୍ୟୁମେଣ୍ଟରେ ଭାରତୀୟ ବଂଶୋଦ୍ଭବ ଖ୍ୟାତନାମା ଚଳଚ୍ଚିତ୍ର ନିର୍ଦ୍ଦେଶକା ମୀରା ନାୟରଙ୍କ ନାମ ଉଲ୍ଲେଖ ହୋଇଛି। ଏହି ଡକ୍ୟୁମେଣ୍ଟରେ ନ୍ୟୁୟର୍କ ମେୟର ଜୋହରାନ ମାମଦାନୀଙ୍କ ପରିବାର ସମ୍ପର୍କିତ ତଥ୍ୟ ମଧ୍ୟ ଥିବା ସୂଚନା ମିଳିଛି।

ଆମେରିକା ନ୍ୟାୟ ବିଭାଗ ପକ୍ଷରୁ ଶୁକ୍ରବାର ଏପଷ୍ଟାଇନ ସମ୍ବନ୍ଧୀୟ ୩ ଲକ୍ଷରୁ ଅଧିକ ପୃଷ୍ଠାର ଡକ୍ୟୁମେଣ୍ଟ ସାର୍ବଜନୀନ କରାଯାଇଥିଲା। ସେଥିରେ ଏପଷ୍ଟାଇନଙ୍କ ସହଯୋଗୀ ଘିସ୍ଲେନ ମ୍ୟାକ୍ସୱେଲଙ୍କ ଗୃହରେ ଆୟୋଜିତ ଏକ ଫିଲ୍ମ ପାର୍ଟି ସମ୍ପର୍କିତ ଇମେଲରେ ମୀରା ନାୟରଙ୍କ ନାମ ଥିବା ଉଲ୍ଲେଖ ମିଳିଛି।

୨୦୦୯ ଅକ୍ଟୋବର ୨୧ ତାରିଖରେ ପେଗି ସିଗଲ ନାମକ ବ୍ୟକ୍ତିଙ୍କ ଦ୍ୱାରା ଏପଷ୍ଟାଇନଙ୍କୁ ପଠାଯାଇଥିବା ଏକ ଇମେଲର ସ୍କ୍ରିନସଟ୍‌ରେ ଏହି ତଥ୍ୟ ଦେଖାଯାଇଛି। ଇମେଲର ବିଷୟବସ୍ତୁ ସମ୍ପର୍କରେ ପୂର୍ଣ୍ଣ ବିବରଣୀ ପ୍ରକାଶ ପାଇନଥିଲେ ମଧ୍ୟ, ସେହି ପାର୍ଟିରେ ପୂର୍ବତନ ଆମେରିକୀୟ ରାଷ୍ଟ୍ରପତି ବିଲ୍ କ୍ଲିଣ୍ଟନ, ବ୍ୟବସାୟୀ ଜେଫ୍ ବେଜୋସ୍ ସହ ଅନ୍ୟାନ୍ୟ ଅତିଥି ଉପସ୍ଥିତ ଥିବା ଉଲ୍ଲେଖ ରହିଛି।

ତଥାପି, କେବଳ ଏହି ଡକ୍ୟୁମେଣ୍ଟରେ କାହାର ନାମ ଥିବା ମାତ୍ରରେ ତାଙ୍କ ବିରୋଧରେ କୌଣସି ଅପରାଧ ସନ୍ଦେହ ସୃଷ୍ଟି ହୁଏନାହିଁ ବୋଲି ବିଶେଷଜ୍ଞମାନେ କହିଛନ୍ତି। ଏପଷ୍ଟାଇନଙ୍କ ବିରୋଧରେ ଯେৗନ ଚାଲାଣ ମାମଲାର ଚର୍ଚ୍ଚା ଚାଲିଥିବା ସମୟରେ ୨୦୧୯ରେ ସେ ଜେଲ୍‌ ଭିତରେ ମୃତ୍ୟୁବରଣ କରିଥିଲେ।

ଖବର ଅନୁଯାୟୀ, ଉକ୍ତ ପାର୍ଟିଟି ୨୦୦୯ରେ ମୁକ୍ତିଲାଭ କରିଥିବା ମୀରା ନାୟରଙ୍କ ଚଳଚ୍ଚିତ୍ର ‘ଆମେଲିଆ’ ସମ୍ବନ୍ଧୀୟ ଏକ କାର୍ଯ୍ୟକ୍ରମ ଥିବା ସମ୍ଭାବନା ରହିଛି। ଏହି ଚଳଚ୍ଚିତ୍ରରେ ହିଲାରୀ ସ୍ୱାଙ୍କ ଓ ରିଚାର୍ଡ ଗେରେ ପ୍ରମୁଖ ଭୂମିକାରେ ଅଭିନୟ କରିଥିଲେ।

ଉଲ୍ଲେଖନୀୟ ଯେ, ‘ମନସୁନ୍ ୱେଡିଂ’, ‘ସଲାମ ବମ୍ବେ’ ଓ ‘ମିସିସିପି ମସାଲା’ ପରି ଚଳଚ୍ଚିତ୍ର ପାଇଁ ମୀରା ନାୟର ଦେଶ ଓ ବିଦେଶରେ ବିଶେଷ ପ୍ରଶଂସା ଲାଭ କରିଛନ୍ତି। ତେବେ ଏହି ଘଟଣା ସମ୍ପର୍କରେ ନ୍ୟୁୟର୍କ ମେୟର ମାମଦାନୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ସରକାରୀ ପ୍ରତିକ୍ରିୟା ମିଳିନାହିଁ।