ମୁମ୍ବାଇ: ଦକ୍ଷିଣ ମୁମ୍ବାଇର କଫ୍ ପରେଡ୍ ଅଞ୍ଚଳରେ ଜଣେ ୨୦ ବର୍ଷୀୟା ମାନସିକ ଅସୁସ୍ଥ ଯୁବତୀ ଗର୍ଭବତୀ ହେବା ଘଟଣାର ତଦନ୍ତ ସମୟରେ ଚମତ୍କାରକ ତଥ୍ୟ ସାମ୍ନାକୁ ଆସିଛି। ପୁଲିସ କରାଇଥିବା ଡିଏନ୍‌ଏ ପରୀକ୍ଷାରୁ ଯୁବତୀଙ୍କ ଗର୍ଭଧାରଣ ପଛରେ ତାଙ୍କ ନିଜ ବାପା ଥିବା ଜଣାପଡ଼ିଛି। ରିପୋର୍ଟ ଆଧାରରେ ପୁଲିସ ଅଭିଯୁକ୍ତଙ୍କୁ ଗିରଫ କରିଛି।

ପୁଲିସ ସୂଚନା ଅନୁଯାୟୀ, ୨୦୨୫ ଅକ୍ଟୋବର ମାସରେ ଦକ୍ଷିଣ ମୁମ୍ବାଇର କାମା ଏଣ୍ଡ ଆଲବ୍ଲେସ୍ ହସ୍ପିଟାଲରୁ ପୁଲିସଙ୍କୁ ଖବର ମିଳିଥିଲା ଯେ, ପେଟ ଯନ୍ତ୍ରଣା ନେଇ ଭର୍ତ୍ତି ହୋଇଥିବା ଏକ ଯୁବତୀ ପାଞ୍ଚ ମାସର ଗର୍ଭବତୀ। ଯୁବତୀ ମାନସିକ ଭାବେ ଅସୁସ୍ଥ ଥିବାରୁ ଘଟଣା ବିଷୟରେ ସ୍ପଷ୍ଟ କିଛି କହିପାରିନଥିଲେ।

ମାମଲାକୁ ଗୁରୁତ୍ୱ ସହ ନେଇ ପୁଲିସ ତଦନ୍ତ ଆରମ୍ଭ କରିଥିଲା। ଘର ଓ ଆସପାସ ଅଞ୍ଚଳର ୧୬ ଜଣଙ୍କ ଡିଏନ୍‌ଏ ନମୁନା ସଂଗ୍ରହ କରାଯାଇଥିଲା। ପରେ ଭୃଣର ଡିଏନ୍‌ଏ ସହ ଏହି ନମୁନାଗୁଡ଼ିକ ମେଳ କରାଯାଇବା ପରେ ଯୁବତୀଙ୍କ ବାପାଙ୍କ ସହ ଡିଏନ୍‌ଏ ମେଳ ଖାଇଥିବା ସ୍ପଷ୍ଟ ହୋଇଥିଲା।

ଏହାପରେ କଫ୍ ପରେଡ୍ ପୁଲିସ ଅଭିଯୁକ୍ତଙ୍କୁ ଗିରଫ କରି ଆଇନୁନ୍ମୁଖୀ ପଦକ୍ଷେପ ଆରମ୍ଭ କରିଛି। ଘଟଣାଟି ସମାଜରେ ଚିନ୍ତାର ବିଷୟ ହୋଇଥିବାବେଳେ, ପୁଲିସ ତଦନ୍ତ ଜାରି ରହିଛି।