Nalanda: ବିହାରର ନାଳନ୍ଦା ଜିଲ୍ଲାର Sheetala Mata Templeରେ ଚୈତ୍ର ମାସର ଶେଷ ମଙ୍ଗଳବାର ଅବସରରେ ଭୟାବହ ଦଳାଚକଟା ଘଟି ୮ ଜଣ ମହିଳା ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ୧୨ରୁ ଅଧିକ ଲୋକ ଗୁରୁତର ଭାବେ ଆହତ ହୋଇଥିବା ସୂଚନା ମିଳିଛି।
ଚୈତ୍ର ଅଷ୍ଟମୀ ଅବସରରେ ମନ୍ଦିରରେ ହଜାର ହଜାର ଭକ୍ତଙ୍କ ଭିଡ଼ ଜମିଥିଲା। ଏହି ସମୟରେ ବାରିକେଡ୍ ଭାଙ୍ଗିଯିବା ଓ ଅନିୟନ୍ତ୍ରିତ ଭିଡ଼ ହେତୁ ସ୍ଥିତି ଅଚାନକ ଭୟାବହ ହୋଇଯାଇଥିଲା। ଫଳରେ ଲୋକମାନେ ଏକାଉଠା ହୋଇ ପଡ଼ିଥିଲେ ଓ ଦଳାଚକଟା ଘଟିଥିଲା।
ଘଟଣା ପରେ ପ୍ରଶାସନ ପକ୍ଷରୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଇ ମନ୍ଦିର ପରିସରକୁ ଖାଲି କରାଯାଇଥିଲା ଏବଂ ମେଳାକୁ ବନ୍ଦ କରାଯାଇଛି। ଆହତମାନଙ୍କୁ ସଦର ଡାକ୍ତରଖାନା ଓ ମଡେଲ ହସ୍ପିଟାଲକୁ ଭର୍ତ୍ତି କରାଯାଇଛି।
ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ଶ୍ରଦ୍ଧାଳୁମାନେ ଶୃଙ୍ଖଳାବଦ୍ଧ ଭାବରେ ଲାଇନ୍ରେ ନ ଥାଇ ଆଗକୁ ବଢ଼ିବାକୁ ଚେଷ୍ଟା କରିଥିବାରୁ ଅସ୍ଥିରତା ସୃଷ୍ଟି ହୋଇଥିଲା। ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁଯାୟୀ, ମନ୍ଦିରରେ ସୁରକ୍ଷା ବ୍ୟବସ୍ଥା ଯଥେଷ୍ଟ ନଥିବାରୁ ଏହି ଦୁର୍ଘଟଣା ଘଟିଛି।
ମୃତକମାନଙ୍କ ମଧ୍ୟରୁ କିଛିଙ୍କୁ ପରିଚୟ କରାଯାଇଛି ଏବଂ ତାଙ୍କ ପରିବାରକୁ ସରକାରୀ ସହାୟତା ଯୋଗାଇଦେବାକୁ ଘୋଷଣା କରାଯାଇଛି। ବିହାର ଉପମୁଖ୍ୟମନ୍ତ୍ରୀ Samrat Choudhary ଘଟଣା ପ୍ରତି ଗଭୀର ଶୋକ ପ୍ରକାଶ କରିଥିବା ସହ ପୀଡ଼ିତ ପରିବାରଙ୍କୁ ସମସ୍ତ ସହାୟତା ଯୋଗାଇବାକୁ ଆଶ୍ୱାସନ ଦେଇଛନ୍ତି।
ଘଟଣାସ୍ଥଳରେ ପୁଲିସ ଓ ପ୍ରଶାସନର ବରିଷ୍ଠ ଅଧିକାରୀମାନେ ପହଞ୍ଚି ସ୍ଥିତିର ତଦନ୍ତ କରୁଛନ୍ତି।





