ନୂଆଦିଲ୍ଲୀ: ଅଷ୍ଟମ ଶ୍ରେଣୀ ସାମାଜିକ ବିଜ୍ଞାନ ପାଠ୍ୟପୁସ୍ତକରେ ନ୍ୟାୟପାଳିକା ସମ୍ପର୍କିତ ବିବାଦୀୟ ବିଷୟବସ୍ତୁକୁ ନେଇ ସୁପ୍ରିମକୋର୍ଟ ଅସନ୍ତୋଷ ପ୍ରକାଶ କରିବା ପରେ ଜାତୀୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ (ଏନ୍ସିଇଆର୍ଟି) ପକ୍ଷରୁ ପାଠ୍ୟପୁସ୍ତକରେ ସଂଶୋଧନ ପ୍ରକ୍ରିୟା ଆରମ୍ଭ ହୋଇଛି। ‘ନ୍ୟାୟପାଳିକାରେ ଦୁର୍ନୀତି’ ସମ୍ପର୍କିତ ଅଂଶକୁ ପୁନଃସମୀକ୍ଷା କରି ଏହାକୁ ପାଠ୍ୟକ୍ରମରୁ ବାହାର କରିବା ପାଇଁ ପଦକ୍ଷେପ ନିଆଯାଉଛି।
ପ୍ରଧାନ ବିଚାରପତି ସୂର୍ଯ୍ୟ କାନ୍ତଙ୍କ ନେତୃତ୍ୱରେ ଗଠିତ ସୁପ୍ରିମକୋର୍ଟ ବେଞ୍ଚ ଏହି ବିଷୟରେ ଶୁଣାଣି ସମୟରେ କଡ଼ା ମତ ପ୍ରକାଶ କରିଥିଲେ। ପାଠ୍ୟପୁସ୍ତକରେ ନ୍ୟାୟପାଳିକାକୁ ଯେପରି ଭାବେ ଉପସ୍ଥାପନ କରାଯାଇଛି, ତାହା ସାମ୍ବିଧାନିକ ସଂସ୍ଥାର ଛବିକୁ କ୍ଷତିଗ୍ରସ୍ତ କରିପାରେ ବୋଲି ଅଦାଲତ ମତ ଦେଇଥିଲେ। ସ୍କୁଲ୍ ଛାତ୍ରଛାତ୍ରୀଙ୍କୁ ଏକତରଫା କିମ୍ବା ଅସନ୍ତୁଳିତ ତଥ୍ୟ ପ୍ରଦାନ କରିବା ଶିକ୍ଷା ବ୍ୟବସ୍ଥା ପାଇଁ ଉଚିତ ନୁହେଁ ବୋଲି ବେଞ୍ଚ ସ୍ପଷ୍ଟ କରିଥିଲା।
ସରକାରୀ ସୂତ୍ର ଅନୁସାରେ, ସଂପୃକ୍ତ ଅଧ୍ୟାୟକୁ ପୁନର୍ଲିଖନ କରିବା ପାଇଁ ଏନ୍ସିଇଆର୍ଟିକୁ ନିର୍ଦ୍ଦେଶ ଦିଆଯାଇଛି। ନୂତନ ସଂଶୋଧିତ ପାଠ୍ୟକ୍ରମରେ ନ୍ୟାୟପାଳିକାର ଭୂମିକା, କାର୍ଯ୍ୟପ୍ରଣାଳୀ ଓ ଗଣତନ୍ତ୍ରରେ ଏହାର ଗୁରୁତ୍ୱକୁ ସନ୍ତୁଳିତ ଓ ଗଠନମୂଳକ ଭାବେ ଉପସ୍ଥାପନ କରାଯିବ।
ଜାତୀୟ ଶିକ୍ଷାନୀତି ଅଧୀନରେ ଚାଲିଥିବା ପାଠ୍ୟକ୍ରମ ସଂସ୍କାର ପ୍ରକ୍ରିୟା ମଧ୍ୟରେ ଏହି ନିଷ୍ପତ୍ତିକୁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବେ ଦେଖାଯାଉଛି। ଶିକ୍ଷାରେ ସଠିକ୍ ଓ ସନ୍ତୁଳିତ ତଥ୍ୟ ପ୍ରଦାନ ସହ ନ୍ୟାୟପାଳିକାର ସମ୍ମାନ ଓ ଅଖଣ୍ଡତା ରକ୍ଷା ଉଦ୍ଦେଶ୍ୟରେ ଏହି ସଂଶୋଧନ କରାଯାଉଥିବା ସୂଚନା ମିଳିଛି।





