ନୂଆଦିଲ୍ଲୀ: ଦିଲ୍ଲୀ ଓ ବିହାରରେ ବିଶାଳ ବିଜୟ ଏବଂ ୨୦୨୬ ମହାରାଷ୍ଟ୍ର ପୌର ନିର୍ବାଚନରେ ଦମ୍‌ଦାର ପ୍ରଦର୍ଶନ ପରେ ବିଜେପି ନେତୃତ୍ୱାଧୀନ ଏନ୍‌ଡିଏ ମେଣ୍ଟର ରାଜନୈତିକ ଧାରା ଆହୁରି ମଜବୁତ ହୋଇଛି। ଇଣ୍ଡିଆ ଟୁଡେ–ସି ଭୋଟର ପକ୍ଷରୁ ପ୍ରକାଶିତ ‘ମୁଡ୍‌ ଅଫ୍‌ ଦି ନେସନ୍‌’ ସର୍ଭେ ଅନୁଯାୟୀ, ଯଦି ଆଜି (ଜାନୁଆରି ୨୦୨୬) ଲୋକସଭା ନିର୍ବାଚନ ହୁଏ, ତେବେ ଏନ୍‌ଡିଏ ୩୫୨ଟି ଆସନରେ ବିଜୟୀ ହୋଇପାରେ।

ସର୍ଭେ ଦର୍ଶାଉଛି ଯେ, ୨୦୨୪ ନିର୍ବାଚନ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦିଆଥିବା ‘୪୦୦ ପାର୍’ ସ୍ଲୋଗାନ୍‌ ସଂଖ୍ୟା ଛୁଇଁନ ପାରିଲେ ମଧ୍ୟ, ଏନ୍‌ଡିଏ ପ୍ରତି ଜନମାନସର ଭରସା ଅବିଚଳିତ ରହିଛି।

ଅନ୍ୟପକ୍ଷେ, କଂଗ୍ରେସ ନେତୃତ୍ୱାଧୀନ ଇଣ୍ଡି ମେଣ୍ଟ ପାଇଁ ଏହି ସର୍ଭେ ଚିନ୍ତାଜନକ ସଙ୍କେତ ଦେଉଛି। ଆଜି ନିର୍ବାଚନ ହେଲେ ଇଣ୍ଡି ମେଣ୍ଟର ଆସନ ସଂଖ୍ୟା ୧୮୨କୁ ଖସି ଆସିବ ବୋଲି ଆକଳନ କରାଯାଇଛି। ୨୦୨୪ ଲୋକସଭା ନିର୍ବାଚନରେ ଇଣ୍ଡି ମେଣ୍ଟ ୨୩୪ଟି ଆସନ ଜିତିଥିଲା, ଯେଉଁଥିରୁ ଏହି ଆକଳନ ଗୁରୁତ୍ୱପୂର୍ଣ୍ଣ ହ୍ରାସକୁ ସୂଚିତ କରୁଛି।

ବିଜେପି ଏକାକୀ ସରକାର ଗଠନ କରିପାରିବ

ଦଳ ଅନୁଯାୟୀ ଆକଳନରେ ସର୍ଭେ କହୁଛି ଯେ, ଆଜି ନିର୍ବାଚନ ହେଲେ ବିଜେପି ଏକାକୀ ୨୮୭ଟି ଆସନ ଜିତି ସରକାର ଗଠନ କରିପାରିବ। ଅଗଷ୍ଟ ୨୦୨୫ର ‘ମୁଡ୍‌ ଅଫ୍‌ ଦି ନେସନ୍‌’ ସର୍ଭେରେ ବିଜେପି ପାଇଁ ୨୬୦ ଆସନ ଆକଳନ କରାଯାଇଥିଲା, ଯାହାଠାରୁ ଏହି ସଂଖ୍ୟା ଅଧିକ।

ସେହିପରି, କଂଗ୍ରେସ ଆଜି ନିର୍ବାଚନ ହେଲେ ମାତ୍ର ୮୦ଟି ଆସନ ଜିତିପାରିବ ବୋଲି ସର୍ଭେ କହିଛି, ଯାହା ପୂର୍ବ ଆକଳନ ତୁଳନାରେ କମ୍‌।

ଭୋଟ୍‌ ସେୟାରରେ ଏନ୍‌ଡିଏ ଆଗରେ

ସର୍ଭେ ଅନୁଯାୟୀ, ଏନ୍‌ଡିଏର ଭୋଟ୍‌ ସେୟାର ୪୭ ପ୍ରତିଶତକୁ ବୃଦ୍ଧି ପାଇଛି। ୨୦୨୪ରେ ଏହି ସଂଖ୍ୟା ୪୪ ପ୍ରତିଶତ ଥିଲା। ଅନ୍ୟପକ୍ଷେ, ଇଣ୍ଡି ମେଣ୍ଟ ପାଇଁ ଭୋଟ୍‌ ସେୟାର ୩୯ ପ୍ରତିଶତ ଆକଳନ କରାଯାଇଛି।

୨୦୨୬ ରାଜ୍ୟ ନିର୍ବାଚନ ପୂର୍ବରୁ ସର୍ଭେ ଏନ୍‌ଡିଏ ପାଇଁ ଉତ୍ସାହ

ଉଲ୍ଲେଖଯୋଗ୍ୟ ଯେ, ୨୦୨୬ରେ ପଶ୍ଚିମବଙ୍ଗ, ତାମିଲନାଡୁ, କେରଳ, ଆସାମ ଓ ପୁଡୁଚେରୀରେ ରାଜ୍ୟ ନିର୍ବାଚନ ହେବ। ଏହି ରାଜ୍ୟଗୁଡ଼ିକ ମଧ୍ୟରୁ ପଶ୍ଚିମବଙ୍ଗ, ତାମିଲନାଡୁ ଓ କେରଳରେ ବିଜେପି ଏପର୍ଯ୍ୟନ୍ତ କ୍ଷମତାକୁ ଆସିନାହିଁ। ଏମିତି ସମୟରେ ଏହି ସର୍ଭେ ଫଳାଫଳ ଏନ୍‌ଡିଏ ନେତୃତ୍ୱଙ୍କ ମନୋବଳକୁ ଆହୁରି ଦୃଢ଼ କରିବ ବୋଲି ରାଜନୈତିକ ମହଳରେ ଚର୍ଚ୍ଚା ହେଉଛି।